ସମୁଦ୍ରକୁ ନଯିବାକୁ ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ
ବ୍ରହ୍ମପୁର : ସମ୍ଭାବ୍ୟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ସମସ୍ତ ପ୍ରାକ୍ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଶୂନ୍ୟ ଜୀବନହାନିକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।
ଜିଲ୍ଲାପାଳ ଆଜି ଅପରାହ୍ନରେ ଚିକିଟି ଓ ପାତ୍ରପୁର ବ୍ଲକ୍ର ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର ସ୍ଥିତି ଓ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ। ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟଜଳ, ବିଦ୍ୟୁତ୍, ଖାଦ୍ୟ, ଔଷଧ ସମେତ ଆବଶ୍ୟକ ସମସ୍ତ ସୁବିଧା ଉପଲବ୍ଧ ଓ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏଥିସହ ଜିଲ୍ଲାପାଳ ରମାୟାପାଟଣାଠାରେ ମତ୍ସ୍ୟଜୀବୀମାନଙ୍କ ସହ ଆଲୋଚନା କରି ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୁଦ୍ରକୁ ନଯିବାକୁ ଜିଲ୍ଲାର ସମସ୍ତ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି। ଗଞ୍ଜାମବାସୀଙ୍କ ସୁରକ୍ଷା ଓ ସର୍ବାଙ୍ଗୀନ ମଙ୍ଗଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀକୁ ଆନ୍ତରିକତାର ସହ ପାଳନ କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଆଇଏଏସ୍ ଶିକ୍ଷାନବିଶ ଏସ୍. ସରନ୍ୟା, ସ୍ଥାନୀୟ ବିଡିଓ, ତହସିଲଦାର ଓ ଅନ୍ୟ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।
