
ଏଭଳି ଭୟଙ୍କର ଆତଙ୍କ ବିରୋଧରେ ଶକ୍ତିଶାଳୀ ପଦକ୍ଷେପ ଆବଶ୍ୟକ ଯାହା ଆମେ କରୁଛୁ ବୋଲି ପ୍ରତିରକ୍ଷା ବିଭାଗ କହିଛି। ହମାସକୁ ଇରାନ ପାଣ୍ଠି ଯୋଗାଉଛି ବୋଲି ଇସ୍ରାଏଲ ଅଭିଯୋଗ କରୁଛି। କିନ୍ତୁ ଏଭଳି ଅଭିଯୋଗକୁ ଇରାନ ଖଣ୍ଡନ କରିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ କୌଣସି ବିବୃତି ଜାରି କରିବା ନେଇ ସହମତିରେ ପହଞ୍ଚି ପାରିନାହିଁ। ଇସ୍ରାଏଲ ଉପରେ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ହମାସ ଅଚାନକ ଆକ୍ରମଣ କରିବା ଫଳରେ ସେଠାରେ ରହୁଥିବା ଅନେକ ଆମେରିକୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏଥିପାଇଁ ଇସ୍ରାଏଲରେ ଲଢ଼ୁଆ ଯୁଦ୍ଧ ଜାହାଜ ଏବଂ ବିମାନ ମୁତୟନ ପାଇଁ ଆମେରିକା ପଦକ୍ଷେପ ନେଇଛି। କେବଳ ଆମେରିକା ନୁହେଁ, ଥାଇଲାଣ୍ଡ ମଧ୍ୟ ଏହାର ୧୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଏବଂ ୧୧ ଜଣଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ କରିଛି। ଏହାବ୍ୟତୀତ ବ୍ରାଜିଲ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, ମେକ୍ସିକୋ, ନେପାଳ ଏବଂ ୟୁକ୍ରେନର ଅନେକ ନାଗରିକଙ୍କୁ ହୁଏତ ହତ୍ୟା କରାଯାଇଛି କିମ୍ବା ଅପହରଣ କରାଯାଇଛି କିମ୍ବା ସେମାନେ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ ହମାସକୁ ସମର୍ଥନ କରି ଇରାନ ସମର୍ଥିତ ଲେବାନନର ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସ୍ଥାନକୁ ରକେଟ ଓ କ୍ଷେପଣାସ୍ତ୍ର ମାଡ଼ କରୁଛି।