
ମାଲକାନଗିରି, ୧୮।୧୦ ମାଲକାନଗିରି ଜିଲ୍ଲା ଏୟାର ଷ୍ଟ୍ରିପ କାର୍ଯ୍ୟ ଜୋର ସୋରରେ ଚାଲିଥିବା ବେଳେ ଏହାର ସଂଯୋଜକ ରାସ୍ତା ନିର୍ମାଣ ପାଇଁ ଆଜି ଗୌଡଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଜନ ଶୁଣାଣିର ଆୟୋଜନ କରାଯାଇଥିଲା। ଏସଆଇ ଷ୍ଟଡି ତାଲିକା ଅନୁସାରେ ଯେଉଁ ଗ୍ରାମବାସୀଙ୍କର ଜମି ଅଧିଗ୍ରହଣ କରାଯିବ ତାଙ୍କ ସହ ଆଜି ଆଲୋଚନା କରାଯାଇଥିଲା । ଏହି ଅବସରରେ ସମସ୍ତଙ୍କର ଆପତ୍ତି ଅଭିଯୋଗ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ହୋଇଛି । ତେବେ ଜମି ହରାଉଥିବା ଲୋକଙ୍କ ପାଇଁ କ୍ଷତିପୂରଣ ପାଇଁ ବେଞ୍ଚ ମାର୍କ ରାଶି କମ ରହିଥିବା ନେଇ ଅଭିଯୋଗ ଶୁଣାଣିରେ ଗ୍ରାମବାସୀ ପ୍ରକାଶ କରିବା ସହ ଗ୍ରାମବାସୀ ମାନେ ବେଞ୍ଚ ମାର୍କ ରାଶିର ଦୁଇଗୁଣ ଚାହୁଁଥିବା ଜଣାପଡିଛି । ସେପଟେ କିଛି ଗ୍ରାମବାସୀ ଜମି ବଦଳରେ ଜମି ଚାହୁଁଛନ୍ତି, କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛିକି ଏଭଳି ବ୍ୟବସ୍ଥା ଏହି ଯୋଜନାରେ ନାହିଁ । ତେବେ ସମସ୍ତ ଆପତ୍ତି ଅଭିଯୋଗ ସରକାରଙ୍କୁ ଜଣାଯିବ । ଯଦି ସମସ୍ତଙ୍କ ସାହାଯ୍ୟ ସହଯୋଗ ରହେ ତେବେ କ୍ଷତିପୂରଣ ଯଥାଶୀଘ୍ର ଦେଇ ମାଲକାନଗିରି ବିମାନ ବନ୍ଦର ଖୁବଶୀଘ୍ର ନିର୍ମାଣ ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାକୁ ସବୁବେଳେ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି । ମାଲକାନଗିରି ଜିଲ୍ଲାବାସୀ ସର୍ବଦା ସରକାରଙ୍କୁ ସହଯୋଗ କରିଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସ୍ଵାର୍ଥକୁ ଦ୍ରୁଷ୍ଟିରେ ରଖି ପଦକ୍ଷେପ ନେବେ ବୋଲି ଲୋକେ ଆଶାବାଦୀ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।