
ଦାରିଙ୍ଗବାଡ଼ି, ୨୩/୧୧, ୧୦୮ ଆମ୍ବୁଲାନ୍ସ ସେବା ଗାଡି ପାଇ ବ୍ରାହ୍ମଣୀଗାଁ ଅଞ୍ଚଳବାସୀଙ୍କ ଦୁଃଖ ଲାଘବ ହୋଇଛି। ଆଜି ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସହାୟତାରେ ଜିଲା ପ୍ରଶାସନ ବ୍ରାହ୍ମଣୀଗାଁ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି। ଏଣୁ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ମୁଖ୍ୟମନ୍ତ୍ରୀ ଓ ଜିଲା ପ୍ରଶାସନକୁ ଭୁୟସୀ ପ୍ରସଂଶା ଜଣାଇ ଥିବା ପ୍ରକାଶ ପାଇଛି। ପ୍ରକାଶ ଥାଉକି ବ୍ରାହ୍ମଣୀଗାଁ ଡାକ୍ତରଖାନା ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, ତାଜୁଙ୍ଗି , ହାତିମୁଣ୍ଡା, ଗଦାପୁର, କାଟିଙ୍ଗିଆ, କୁମ୍ଭାରୀଗାଁ ବ୍ରାହ୍ମଣୀଗାଁ, ଝିଞ୍ଜିରିଗୁଡା ସମେତ ସୀମାନ୍ତ ବର୍ତ୍ତି ଗଜପତି ଓ ରାୟଗଡା ଜିଲାର କିଛି ଗ୍ରାମ ପଞ୍ଚାୟତର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଜନ ସାଧାରଣ ନିର୍ଭର କରି ଆସୁଛନ୍ତି। ହେଲେ ଜରୁରୀ ପରିସ୍ଥିତିରେ ଦାରିଙ୍ଗବାଡ଼ି ଓ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ ଉପରେ ନିର୍ଭର କରିବାକୁ ପଡୁଥିଲା। ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡ଼ି ଓ ଗଜପତି ଜିଲା ମୋହନା ଡାକ୍ତର ଖାନାର ଦୂରତା ପ୍ରାୟ ୪୦ କିମି। ଏଣୁ ଜରୁରୀ ପରିସ୍ଥିତିରେ ଏହି ସେବା ସଠିକ ଭାବେ ନପାଇ ଅଞ୍ଚଳ ବାସୀ ବହୁ ଆର୍ଥିକ କ୍ଷୟକ୍ଷତି ସହିଥିବା ନଜିର ରହିଛି। ଏହି ସେବା ଯୋଗାଇଦେବାକୁ ଅଞ୍ଚଳ ବାସୀ ବହୁ ବର୍ଷରୁ ଜିଲା ପ୍ରଶାସନ ସହିତ ରାଜ୍ୟ ସରକାଙ୍କୁ ଲିଖିତ ଭାବେ ଦାବୀକରି ଆସୁଥିଲେ। ଅଞ୍ଚଳ ବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ରାଜ୍ୟସରକାର ଜିଲା ପ୍ରଶାସନ ମାଧ୍ୟମରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଥିବାରୁ ଅଞ୍ଚଳ ବାସୀ ମୁଖ୍ୟ ମନ୍ତ୍ରୀ ଓ ଜିଲା ପ୍ରଶାସନକୁ ଭୁୟସୀ ପ୍ରସଂଶା କରିଥିବା ପ୍ରକାଶ ପାଇଛି।