ଛତୁଆ ବିଲ କରାଇ ଦେବା ପାଇଁ ଲାଞ୍ଚ ଅଭିଯୋଗ, ପୂର୍ବତନ ସିଡିପିଓଙ୍କୁ ୪ ବର୍ଷ ଜେଲ…

add-all


ଫୁଲବାଣୀ (୩୦/୧୧) : ଛତୁଆ ବିଲ କରିବା ପାଇଁ ଲାଞ୍ଚ ନେବାବେଳେ ଧରାପଡିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତତ୍କାଳୀନ ସିଡିପିଓ ଯଶୋବନ୍ତୀ ବେହେରାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁର ମା ଭୈରବୀ ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତ କରି ବିଭିନ୍ନ ପଞ୍ଚାୟତକୁ ଯୋଗାଉଥିଲେ। ୨୦୧୬ ମସିହା ନଭେମ୍ବର ଓ ଡିସେମ୍ବର ମାସର ଛତୁଆ ବିଲ ବାବଦରେ ସେମାନଙ୍କର ସିଡିପିଓଙ୍କ କାର୍ଯ୍ୟାଳୟରୁ ଟଙ୍କା ପାଇବାର ଥିଲା। ତେବେ ଏହି ବିଲ କରିବା ପାଇଁ ତତ୍କାଳୀନ ସିଡିପିଓ ଯଶୋବନ୍ତ (
ଏସ ଏଚ ଜି ସମ୍ପାଦିକାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସମ୍ପାଦିକା ଶୈଳବାଳା ଦାଶ ଏ ନେଇ ୨୦୧୭ ଜାନୁଆରୀ ୧୧ ତାରିଖରେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ୧୨ ତାରିଖ ଦିନ ସିଡିପିଓ ତାଙ୍କ କାର୍ଯ୍ୟାଳୟରେ ଏହି ଅର୍ଥ ଗ୍ରହଣ କରୁଥିବା ସମୟରେ ପୂର୍ବ ପ୍ରସ୍ତୁତି ପ୍ରକାରେ ତତ୍କାଳୀନ ବୌଦ୍ଧ ଭିଜିଲାନ୍ସ ଡିଏସପି ଦୋଳଗୋବିନ୍ଦ ପରିଡାଙ୍କ ନେତୃତ୍ୱରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୬/୨୦୧୭ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଇ ଥିଲା। ଏହି ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ୭ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ତଥ୍ୟ ପ୍ରମାଣ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଶ୍ରୀମତୀ ବେହେରା ୩୦, ଏପ୍ରିଲ ୨୦୨୧ରେ ଚାକିରୀରୁ ଅବସର ନେଇ ସାରିଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ।

ad-week
Leave A Reply

Your email address will not be published.