ଖାତା ଖୋଲିପାରିନି ଆମ୍ ଆଦ୍‌ମୀ ପାର୍ଟି, ଦେଇଥିଲା ୨୦୦ଟି ଆସନରେ ପ୍ରାର୍ଥୀ…

newyr25

ଘନଘନ ପ୍ରଚାର। ମାଳ ମାଳ ରୋଡ୍‌ ଶୋ’। ମୌଦାନକୁ ଓହ୍ଲାଇଥିଲେ ହେଭିଓ୍ୱେଟ୍‌ ନେତା। ଏସବୁ ପରେ ବି ଖାତା ଖୋଲିପାରିନି ଆମ୍ ଆଦ୍‌ମୀ ପାର୍ଟି। ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଭିତରେ ଉଭେଇ ଯାଇଛି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ। ମଧ୍ୟପ୍ରଦେଶ, ଛତିଶଗଡ଼, ଓ ରାଜସ୍ଥାନରେ ବିଜେପି ଜଲଓ୍ୱା ଦେଖାଉଥିବା ବେଳେ ତେଲେଙ୍ଗାନାକୁ କଂଗ୍ରେସ କବ୍‌ଜା କରିଛି। ଏସବୁ ଭିତରେ ଆମ୍‌ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍‌କା। ଦିଲ୍ଲୀ ଓ ପଞ୍ଜାବରେ ଶାସନ କରୁଥିବା ଆମ୍‌ ଆଦ୍‌ମୀ ପାର୍ଟି ୪ ରାଜ୍ୟର ଗୋଟିଏ ବି ଆସନରେ ନିଜର ଖାତା ଖୋଲିପାରି ନାହିଁ।

ହିନ୍ଦୀ ବେଲ୍ଟରେ ଆପ୍‌ ନିଜ ସ୍ଥିତିକୁ ଦୃଢ଼ କରିବା ପାଇଁ ୨୦୦ରୁ ବି ଅଧିକ ଆସନରେ ନିଜର ପ୍ରାର୍ଥୀ ଦେଇଥିଲା। ମଧ୍ୟପ୍ରଦେଶରେ ଆପ୍‌ ୭୦ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିଥିଲା। ସେହିପରି ରାଜସ୍ଥାନରେ ୮୮, ଛତିଶଗଡ଼ରେ ୫୭ଟି ଆସନରେ ଆପ୍‌ ତା’ର ପ୍ରାର୍ଥୀଙ୍କୁ ମୌଦାନକୁ ଓହ୍ଲାଇଥିଲା। ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଖୋଦ୍‌ ଏସବୁ ରାଜ୍ୟରେ ରାଲି କରିଥିଲେ। ମାଗଣା ବିଦ୍ୟୁତ୍‌, ପାଣି ଓ ଶିକ୍ଷା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏସବୁ ପରେ ବି ଆପ୍‌କୁ କୌଣସି ଫାଇଦା ମିଳିନାହିଁ।

୨୦୦ ଆସନରୁ ଗୋଟିଏ ବି ଆସନରେ କେହି ବି ଆପ୍ ପ୍ରାର୍ଥୀ ବିଜୟୀ ହୋଇପାରି ନାହାଁନ୍ତି। ଅନେକ ପ୍ରାର୍ଥୀଙ୍କ ଜାମିନ ମଧ୍ୟ ରଦ୍ଦ ହେଇଯାଇଛି। ସିଙ୍ଗରୋଲିର ମେୟର ଓ ଆପ୍‌ ପ୍ରାର୍ଥୀ ରାଣୀ ଅଗ୍ରଓ୍ୱାଲ ମଧ୍ୟ ନିର୍ବାଚନ ହାରିଥିବା ଜଣାପଡିଛି। ଏପରିକି ମଧ୍ୟପ୍ରଦେଶରେ ଟିଭି ଅଭିନେତ୍ରୀ ଚାହତ ପାଣ୍ଡେଙ୍କ ଜାଦୁ ମଧ୍ୟ ଫେଲ୍‌ ମାରିଛି। ତାଙ୍କୁ କେବଳ ୪୬୨୯ଟି ଭୋଟ୍‌ ମିଳିଛି। ଚାହତ ପାଣ୍ଡେ ଚଳିତ ବର୍ଷ ଜୁନ ମାସରେ ରାଜନୀତିରେ ପ୍ରବେଶ କରିଥିଲେ।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ, ଆମ୍ ଆଦମୀ ପାର୍ଟିକୁ ଛତିଶଗଡରେ କେବଳ ୦.୯୭ ପ୍ରତିଶତ, ମଧ୍ୟପ୍ରଦେଶରେ ୦.୪୨ ପ୍ରତିଶତ ଏବଂ ରାଜସ୍ଥାନରେ ୦.୩୭ ପ୍ରତିଶତ ଭୋଟ୍ ମିଳିଛି । ତେବେ ତେଲେଙ୍ଗାନାରେ ଆମ୍ ଆଦମୀର ପାର୍ଟି କୌଣସି ପ୍ରାର୍ଥୀ ନିର୍ବାଚନ ଲଢ଼ି ନାହାନ୍ତି।

Leave A Reply

Your email address will not be published.