ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ: ପେଟ୍ରୋଲ-ଡିଜେଲ ବିକ୍ରି ଉପରେ ଲାଗିଲା କଟକଣା…

add-all

ନୂଆ ହିଟ ଆଣ୍ଡ ରନ ଆଇନରେ ଥିବା ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ଟ୍ରକ ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନରେ ତୈଳ ସପ୍ଲାଏ କରୁଥିବା ଡ୍ରାଇଭରମାନେ ମଧ୍ୟ ସାମିଲ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ କଟକଣା ଲଗାଯାଇଛି। ବିଭିନ୍ନ ପମ୍ପରେ ପ୍ରଶାସନ ଆଜି ଠାରୁ ଅସ୍ଥାୟୀ ଭାବେ କଟକଣା ଲାଗୁ କରିଛି।
ପ୍ରଶାସନ କହିଛି ଯେ ଜଣେ ବ୍ୟକ୍ତି ବାଇକରେ ସର୍ବାଧିକ ୨ ଲିଟର ଅର୍ଥାତ ୨୦୦ ଟଙ୍କାର ତେଲ ପକାଇ ପାରିବେ। ସେହିପରି ୪ ଚକିଆ ଗାଡ଼ିରେ ସର୍ବାଧିକ ୫ ଲିଟର ଅର୍ଥାତ ୫୦୦ ଟଙ୍କାର ତେଲ ପଡ଼ିପାରିବ। ଅସ୍ଥାୟୀ ଭାବେ ତୈଳ ସପ୍ଲାଏ ପ୍ରଭାବିତ ହୋଇଛି। ତେଣୁ ପ୍ରତିଷେଧକ ଭାବେ ଏପରି କଟକଣା ଲଗାଯାଇଛି ବୋଲି ଚଣ୍ଡିଗଡ଼ ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି।
ଚଣ୍ଡିଗଡ଼ରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପକୁ ଏହି ନିୟମ ପାଳନ କରିବାକୁ କୁହାଯାଇଛି। ସେହିପରି ଗ୍ରାହକମାନଙ୍କୁ ମଧ୍ୟ ସହଯୋଗ କରିବାକୁ ପ୍ରଶାସନ କହିଛି। ଆଜି ସକାଳ ଠାରୁ ଆନ୍ଦୋଳନ ଯୋଗୁ ତୈଳ ଯୋଗାଣ ବନ୍ଦ ରହିଛି। ତେଲ ସଙ୍କଟ ଆଶଙ୍କାରେ ଆଜି ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
ଭିଡ଼ ଜମିବା ସହ ଲୋକମାନେ ମଧ୍ୟ ତେଲ ନେବାକୁ ଡହଳ ବିକଳ ହେଉଥିଲେ। ଏସବୁ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ କଟକଣା ଲଗାଇଛି। କେନ୍ଦ୍ର ସରକାର ନିକଟରେ ୩ ନୂଆ ଅପରାଧିକ ଆଇନ ପ୍ରଣୟନ କରିଛନ୍ତି। ଯଦି କୌଣସି ଟ୍ରକ୍‌ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଗାଡ଼ି ମାଡ଼ କରନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବ। ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ।
ପୂର୍ବରୁ ଯେଉଁ ଆଇନ୍‌ ଥିଲା ସେଥିରେ ହିଟ୍‌ ଆଣ୍ଡ ରନ୍ ମାମଲାରେ ଫସିଥିବା ଡ୍ରାଇଭରଙ୍କୁ ବେଶ୍‌ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା। ଆଉ ଦୁଇ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା।

ad-week
Leave A Reply

Your email address will not be published.