ପାରିବାରିକ କାରଣରୁ କଳ୍ପନା ସୋରେନ ବାଦ ପଡ଼ିଲେ…

add-all

IMAGE_1706772957

ରାଞ୍ଚି : ଜମି ଦୁର୍ନୀତି ମାମଲାରେ ବନ୍ଧା ହୋଇ ସାରିଛନ୍ତି ହେମନ୍ତ ସୋରେନ୍‌। ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ଇଡ଼ି ତାଙ୍କୁ ବାନ୍ଧି ସାରିଛି। ତେବେ ହେମନ୍ତ ସୋରେନ୍‌ ଇସ୍ତଫା ଦେବା ପରେ ତାଙ୍କ ପତ୍ନୀ କଳ୍ପନା ସୋରେନ୍‌ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ବୋଲି ନାନା ଚର୍ଚ୍ଚା ହେଉଥିବା ବେଳେ ହଠାତ୍‌ ତାହା ଥମି ଯାଇଛି। କାରଣ ସବୁ ଆକଳନ ଭୁଲ୍‌ ପ୍ରମାଣିତ ହୋଇ ସାରିଛି।
ଗତ ମଙ୍ଗଳବାର ରାଞ୍ଚିରେ ବସିଥିବା ଶାସକ ଦଳ ବୈଠକରେ ରାଜନୀତିଠୁ ଦୂରେଇ ରହୁଥିବା କଳ୍ପନାଙ୍କ ବଦଳରେ ପୁରୁଖା ରାଜନେତା ଚମ୍ପାଇ ସୋରେନ୍‌ଙ୍କୁ ବିଧାୟକ ଦଳ ନେତା ଭାବେ ବଛା ଯାଇଥିଲା। ତେଣୁ ସେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଛି। ମାତ୍ର ଯେଉଁ କଳ୍ପନା ସୋରେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦର ପ୍ରମୁଖ ଦାବିଦାର ବୋଲି କୁହାଯାଉଥିଲା ସେ କିପରି ରେସ୍‌ରୁ ଓହରିଗଲେ ତାହା ସମସ୍ତଙ୍କୁ ଚକିତ କରିଛି।
ସୋରେନ ପରିବାର ଝାଡ଼ଖଣ୍ଡର ଆଗ ଧାଡ଼ିର ରାଜନୈତିକ ପରିବାର ଭାବେ ବେଶ୍‌ ଜଣାଶୁଣା। ହେମନ୍ତ ସୋରେନ୍‌ଙ୍କ ପୂର୍ବରୁ ତାଙ୍କ ପିତା ଶିବୁ ସୋରେନ ୩ ଥର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଗାଦିରେ ବସି ସାରିଲେଣି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିବାରର ବୟସ୍କ ସଦସ୍ୟ ଥିବା ବେଳେ କଳ୍ପନାଙ୍କ ନାମ ହେମନ୍ତଙ୍କ ଦାବିଦାର ରୂପେ ଉଭା ହେବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣାକୁ ନେଇ ପାର୍ଟି ତଥା ପରିବାରରେ ଫାଟ ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ଦେଖାଦେଇଥିଲା।
ବିଜେପି ନେତା ନିଶିକାନ୍ତ ଦୁବେ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, ଜେଏମଏମର ସମୁଦାୟ ୨୯ ବିଧାୟକଙ୍କ ମଧ୍ୟରୁ ୧୮ ବିଧାୟକ ମୁଖ୍ୟମନ୍ତ୍ରୀ ପଦ ପାଇଁ କଳ୍ପନା ସୋରେନଙ୍କ ନାମରେ ରାଜି ନ ଥିଲେ। ଏହି ୧୮ ବିଧାୟକ କଳ୍ପନା ସୋରେନଙ୍କ ବଦଳରେ ହେମନ୍ତ ସୋରେନ୍‌ଙ୍କ ବଡ଼ ଭାଇ ବସନ୍ତ ସୋରେନ୍‌ଙ୍କୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି ଜଣାଇଥିଲେ। କେବଳ ସେତିକି ନୁହେଁ, ଏହି ରେସ୍‌ରେ ହେମନ୍ତ ସୋରେନ୍‌ଙ୍କ ସବୁଠୁ ବଡ଼ ଭାଇ ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ସୋରେନ୍‌ଙ୍କ ନାମ ବି ସାମିଲ ଥିଲା। ଦୁର୍ଗା ସୋରେନ୍‌ଙ୍କର ୨୦୦୯ ମସିହାରେ ଦେହାନ୍ତ ହୋଇ ସାରିଛି।
ଏପରି ସ୍ଥିତିରେ ପରିବାର ସଦସ୍ୟଙ୍କ ଇଚ୍ଛାକୁ ଏଡ଼ାଇ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ହେମନ୍ତ ସୋରେନ୍‌ ନିଷ୍ପତ୍ତି ନେଇ ପାରିଲେ ନାହିଁ। କାରଣ କଳ୍ପନା ମୁଖ୍ୟମନ୍ତ୍ରୀ ହେଲେ ପରିବାରରେ ଫାଟ ସୃଷ୍ଟି ହେବା ଥୟ ବୋଲି ସେ ଜାଣିଥିଲେ।
ମଙ୍ଗଳବାର , ସୋରେନଙ୍କ ବାସଭବନରେ ଶାସକ ଦଳ ବୈଠକ ବସିଥିବା ବେଳେ ସେଥିରେ ମାତ୍ର ୩୫ ବିଧାୟକ ସାମିଲ ହୋଇଥିଲେ। ଯେଉଁ ବିଧାୟକମାନେ ଏଥିରେ ସାମିଲ ହୋଇ ନ ଥିଲେ ସେମାନେ କଳ୍ପନାଙ୍କ ମୁଖ୍ୟମନ୍ତ୍ରୀ ନାମରେ ସନ୍ତୁଷ୍ଟ ନ ଥିବା ଜଣାଯାଇଥିଲା।
କଳ୍ପନାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଠିବା ପରେ ଏହାକୁ ପ୍ରତିବାଦ କରିଥିଲେ ସୀତା ସୋରେନ । ସେ କହିଥିଲେ, ମୁଁ ସୋରେନ୍‌ ପରିବାରର ବଡ଼ ବୋହୂ। ମୋ’ ସ୍ୱାମୀ ଝାଡ଼ଖଣ୍ଡ ଆନ୍ଦୋଳନ ପାଇଁ ଦୀର୍ଘ ବର୍ଷ ଆନ୍ଦୋଳନ କରିଥିଲେ। ମୁଁ ହେମନ୍ତ ସୋରେନଙ୍କୁ ଉତ୍ତରାଧିକାରୀ ରୂପେ ଗ୍ରହଣ କରିଥିଲା, ଆଉ କାହାକୁ ନୁହେଁ ବୋଲି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।
କଳ୍ପନା ଏହି ରେସ୍‌ରୁ ବାଦ ପଡ଼ିବାର ଆଉ ଏକ କାରଣ ସେ ବିଧାୟକ ନ ଥିବା ବୋଲି ବିବେଚନା କରାଯାଉଛି। କାରଣ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇଥିଲେ ବି ତାଙ୍କୁ ୬ ମାସ ମଧ୍ୟରେ ନିର୍ବାଚିତ ହେବାକୁ ପଡ଼ିଥାନ୍ତା। ମାତ୍ର ଚଳିତ ବର୍ଷ ନଭେମ୍ବର, ଡିସେମ୍ବରରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବାରୁ ପୁଣି ଥରେ ଉପନିର୍ବାଚନ କରିବା କାଠିକର ପାଠ ହୋଇଥାନ୍ତା। ଏପରି ସ୍ଥିତିରେ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା।

ad-week
Leave A Reply

Your email address will not be published.