ଫୁଲବାଣୀ : ଜିଲ୍ଲା ବୈଧ ମାପ-ଓଜନ ବିଭାଗ, କନ୍ଧମାଳ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣୀ” ର ମିଳିତ ଆନୁକୁଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୁତିପଡ଼ା ଠାରେ ଆଜି ଖାଉଟି ସଚେତନତା କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଦୁତିପଡ଼ା ସରପଞ୍ଚ ଶ୍ରୀମତୀ ଜାନକୀ ଜାନୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଜିଲ୍ଲା ବୈଧ ମାପ ଓଜନ ବିଭାଗର ଉପ-ନିୟନ୍ତ୍ରକ ରାକେଶ କୁମାର ନାୟକ ଏବଂ ନିରୀକ୍ଷକ ବିକାଶ ଚନ୍ଦ୍ର ସାହୁ, ଦୂତିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀମତୀ ନିତ୍ର ରଣା, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ସତ୍ୟବାନ ଦଳବେହେରା, କବିତା କର, କଲ୍ୟାଣୀ ସେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ରାଜଲକ୍ଷ୍ମୀ ସାହୁ, ସ୍ଥାନୀୟ ଦୁତିପଡ଼ା ପଞ୍ଚାୟତର ବସନ୍ତ ପ୍ରଧାନ ଓ ଗାନ୍ଧୀ ସାହୁ ଯୋଗଦେଇ କହିଲେ, ଆମେ ବିଜ୍ଞାପନରେ ପ୍ରଭାବିତ ନ ହୋଇ ସଚେତନ ଖାଉଟି ହିସାବରେ ଜିନିଷ କ୍ରୟ କରିବା ସହିତ ଆମର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଜାଣିବା ଆବଶ୍ୟକ। ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ଶ୍ମଶାନର ଶବ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତିପୂରଣ ଦେବାରେ ଉପଭୋକ୍ତା ସୁରକ୍ଷା ଆଇନ କିପରି ସହାୟକ ହୋଇପାରୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅସାଧୁ ବ୍ୟବସାୟୀମାନେ କିପରି ମାପ ଓ ଓଜନରେ ନିରୀହ ଖାଉଟିମାନଙ୍କୁ ମିଛ ବିଜ୍ଞାପନ ମାଧ୍ୟମରେ ଶୋଷଣ କରଛି ସେ ବିଷୟରେ ଅବଗତ କରିବା ସହିତ ଇଲେକ୍ଟ୍ରୋନିକ୍ସ ଏବଂ ଦଣ୍ଡି-ବଟକରା ମାଧ୍ୟମରେ ଗ୍ୟାସ୍ ସିଲିଣ୍ଡର, ପେଟ୍ରୋଲ, ଡିଜେଲ, ଖାଦ୍ୟ ସାମଗ୍ରୀ ଏବଂ ସୁନା-ରୁପା ଭଳି ମୂଲ୍ୟବାନ୍ ସାମଗ୍ରୀ କିଣିବାବେଳେ କେଉଁ ପ୍ରକାର ସତର୍କତା ଅବଲମ୍ବନ କଲେ ନିଶ୍ଚିତ କ୍ଷତିରୁ ରକ୍ଷାପାଇପାରିବେ ସେ ବିଷୟରେ ସୁନ୍ଦର ଭାବେ ବୁଝାଇଥିଲେ । ଭାରତ ସରକାରଙ୍କ ଖାଉଟି ସୁରକ୍ଷା ଆଇନ କିପରି ଅସାଧୁ ଉତ୍ପାଦନକାରୀ ଓ ବ୍ୟବସାୟୀଙ୍କ ଲାଭଖୋଲ ମନୋଭାବ ଓ ନିକୃଷ୍ଟ ମାନର ଦ୍ରବ୍ୟ କିମ୍ବା ସେବା ଯୋଗାଣଦ୍ୱାରା କ୍ଷତିଗ୍ରସ୍ତ ଖାଉଟିଙ୍କୁ ସୁରକ୍ଷା ଦେଉଛି ସେ ବିଷୟରେବୁଝାଇଥିଲେ । କଲ୍ୟାଣୀ ସଂସ୍ଥାର ସମ୍ପାଦିକା ଶ୍ରୀମତୀ ରାଜଲକ୍ଷ୍ମୀ ସାହୁ ତାଙ୍କ ପ୍ରାରମ୍ଭିକ ସମ୍ଭାଷଣ ମାଧ୍ୟମରେ ଜିଲ୍ଲା ସ୍ତରରେ ଗଠିତ ହୋଇଥିବା ଖାଉଟି ବିବାଦ ପ୍ରତିକାର ମଞ୍ଚ, ରାଜ୍ୟ ସ୍ତରରେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ ଓ ଜାତୀୟ ସ୍ତରରେ ଜାତୀୟ କମିଶନର କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଶ୍ରୀମତୀ ସାହୁ ସଭା ପରିଚାଳନା କରିଥିବା ବେଳେ ବସନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଉପଲକ୍ଷେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏଥିରେ ବିଦ୍ୟାଳୟର ପ୍ରାୟ ୬୦ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।
