
ସଫେଇ କାର୍ଯ୍ୟର ତଦାରଖ କଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ
ବ୍ରହ୍ମପୁର, ୨୬/୧୦: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅନ୍ୟତମ ପ୍ରମୁଖ ବ୍ରହ୍ମପୁର ସହରରେ ଜଳବନ୍ଦୀ ସମସ୍ୟାର ନିରାକରଣ ତଥା ଜଳର ସୁଗମ ନିଷ୍କାସନ ପାଇଁ ନାଳ ସଫେଇ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜୋରଦାର କରାଯାଇଛି। ଗାୟତ୍ରୀ ବିହାରସ୍ଥିତ ସୂର୍ଯ୍ୟ ନାଳ, ବାଞ୍ଛାଦେଇ ନଗରସ୍ଥିତ ବାହାନା ନାଳ ସମେତ ସହରର ବିଭିନ୍ନ ପ୍ରମୁଖ ନାଳରୁ ପଙ୍କ, ଆବର୍ଜନା ଓ ଜଳ ପ୍ରବାହରେ ବାଧା ସୃଷ୍ଟି କରୁଥିବା ସାମଗ୍ରୀ ସଫା କରାଯାଉଛି। ବ୍ରହ୍ମପୁର ମହାନଗର ନିଗମ ଓ ସଂଯୋଜିତ ବିଭାଗର କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ ସସ୍ୟା ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ସଫେଇ କାର୍ଯ୍ୟର ତଦାରଖ କରିବା ସହ ସହରର ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ସମ୍ଭାବ୍ୟ ବର୍ଷା ସମୟରେ ନାଳଗୁଡ଼ିକରେ ଯେପରି ଜଳ ପ୍ରବାହ ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ।
ପୂର୍ବ ବର୍ଷା ସମୟରେ ଯେଉଁ ସ୍ଥାନଗୁଡ଼ିକରେ ଜଳ ନିଷ୍କାସନରେ ବାଧା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା, ସେହି ଅଞ୍ଚଳଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ସଫେଇ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ନାଳଗୁଡ଼ିକର ସ୍ଥିତି ଉପରେ ନିୟମିତ ନଜର ରଖିବା ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା ।
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ସହରରେ ଜଳବନ୍ଦୀ ସମସ୍ୟାକୁ ହ୍ରାସ କରିବା, ଜଳର ସୁଗମ ନିଷ୍କାସନ ସୁନିଶ୍ଚିତ କରିବା ଏବଂ ସହରବାସୀଙ୍କ ଜନଜୀବନକୁ ସ୍ୱାଭାବିକ ରଖିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସମନ୍ୱିତ ଭାବେ ପ୍ରସ୍ତୁତି ଜାରି ରହିଛି।
