ଚତୁର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବେ ଲୁଲା ଡା ସିଲଭା

puja26

ବ୍ରାଜିଲ : ବ୍ରାଜିଲରେ ତୀବ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ପୁଣିଥରେ ନିର୍ବାଚନ ଜିତିଛନ୍ତି । ଗତକାଲି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଦକ୍ଷିଣପନ୍ଥୀ ନେତା ତଥା ସିନେଟର ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରିଛନ୍ତି । ଏହି ବିଜୟ ସହ ଲୁଲା ଚତୁର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାଜନୈତିକ ଭାବେ ଘନିଷ୍ଠ ଥିବା ଫ୍ଲାଭିଓ ବୋଲସୋନାରୋଙ୍କ ପରାଜୟ ଯୋଗୁଁ ଏହି ନିର୍ବାଚନର ଫଳାଫଳକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ବ୍ରାଜିଲର ସର୍ବୋଚ୍ଚ ନିର୍ବାଚନ ଅଦାଲତ ପକ୍ଷରୁ ଘୋଷିତ ଫଳାଫଳ ଅନୁସାରେ ଲୁଲା ୫୧.୭୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଫ୍ଲାଭିଓ ବୋଲସୋନାରୋ ୪୮.୨୧ ପ୍ରତିଶତ ଭୋଟ୍ ମିଳିଛି । ଲୁଲାଙ୍କ ସପକ୍ଷରେ ୬ କୋଟି ୪୨ ଲକ୍ଷରୁ ଅଧିକ ଭୋଟ୍ ପଡ଼ିଥିବା ବେଳେ ବୋଲସୋନାରୋ ପ୍ରାୟ ୫ କୋଟି ୯୮ ଲକ୍ଷ ଭୋଟ୍ ପାଇଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ୪୪ ଲକ୍ଷ ଭୋଟର ବ୍ୟବଧାନ ରହିଛି । ବ୍ରାଜିଲରେ ଦୁଇ ପ୍ରମୁଖ ରାଜନୈତିକ ଶିବିର ମଧ୍ୟରେ ରହିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତାକୁ ସ୍ପଷ୍ଟ କରିଛି ।

ଏଥର ବ୍ରାଜିଲ୍ ରାଷ୍ଟ୍ରପତି ନିର୍ବାଚନରେ ଏକ ଉଲ୍ଲେଖନୀୟ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ୪ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ଫ୍ଲାଭିଓ ବୋଲସୋନାରୋ ଲୁଲାଙ୍କଠାରୁ ଅଧିକ ଭୋଟ୍ ପାଇଥିଲେ । କିନ୍ତୁ କୌଣସି ପ୍ରାର୍ଥୀ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିବାରୁ ୨୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ନିର୍ଣ୍ଣାୟକ ପର୍ଯ୍ୟାୟରେ ଲୁଲା ଫଳାଫଳକୁ ନିଜ ସପକ୍ଷରେ ନେବାରେ ସଫଳ ହୋଇଛନ୍ତି । ବ୍ରାଜିଲରେ ଗଣତନ୍ତ୍ର ପୁନଃପ୍ରତିଷ୍ଠା ପରଠାରୁ ପ୍ରଥମ ପର୍ଯ୍ୟାୟରେ ପଛରେ ଥିବା ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟରେ ବିଜୟୀ ହେବା ଏକ ଐତିହାସିକ ଘଟଣା ।

ପରାଜିତ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋ ହେଉଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲସୋନାରୋଙ୍କ ପୁଅ। ତାଙ୍କ ପରିବାରର ରାଜନୈତିକ ଶିବିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଘନିଷ୍ଠ ସମ୍ପର୍କ ପାଇଁ ପରିଚିତ । ଏପଟେ ଲୁଲା ଓ ଟ୍ରମ୍ପଙ୍କ ମଧ୍ୟରେ ବାଣିଜ୍ୟ, ଶୁଳ୍କ ନୀତି ଏବଂ ବ୍ରାଜିଲର ସାର୍ବଭୌମତ୍ୱ ଭଳି ପ୍ରସଙ୍ଗରେ ମତଭେଦ ରହିଆସିଛି । ଏହି ପରିପ୍ରେକ୍ଷୀରେ ଲୁଲାଙ୍କ ପୁନନିର୍ବାଚନ ଆଗାମୀ ଦିନରେ ବ୍ରାଜିଲର ଆମେରିକା ସହ ସମ୍ପର୍କ ଓ ବୈଦେଶିକ ନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଫ୍ଲାଭିଓ ବୋଲସୋନାରୋ ପରାଜୟ ସ୍ୱୀକାର କରିନାହାନ୍ତି । ମତଦାନ ସମୟ ବୃଦ୍ଧିକୁ ନେଇ ଆପତ୍ତି ଉଠାଇ ସେ ନିର୍ବାଚନ ଫଳାଫଳ ରଦ୍ଦ କରିବାକୁ ଆଇନଗତ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ତେବେ ବ୍ରାଜିଲର ନିର୍ବାଚନ କର୍ତ୍ତୃପକ୍ଷ ଲୁଲାଙ୍କ ବିଜୟ ଘୋଷଣା କରିଛନ୍ତି । ଲୁଲା ପୂର୍ବରୁ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ଦୁଇ ପାଳି ରାଷ୍ଟ୍ରପତି ଥିଲେ । ଏହାପରେ ୨୦୨୨ ନିର୍ବାଚନ ଜିତି ୨୦୨୩ରେ ପୁଣି କ୍ଷମତାକୁ ଫେରିଥିଲେ । ଏବେ ୨୦୨୬ ନିର୍ବାଚନରେ ବିଜୟ ସହ ସେ ଚତୁର୍ଥ ପାଳି ପାଇଁ ଜନମତ ହାସଲ କରିଛନ୍ତି । ତେବେ ନୂଆ କାର୍ଯ୍ୟକାଳରେ ଦେଶର ଆର୍ଥିକ ସ୍ଥିତି, ଜୀବନଯାପନ ଖର୍ଚ୍ଚ, ସାମାଜିକ କଲ୍ୟାଣ, ଅପରାଧ ନିୟନ୍ତ୍ରଣ ଓ ରାଜନୈତିକ ମତଭେଦ ଦୂର କରିବା ତାଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେବ । ବ୍ରାଜିଲର ଏହି ନିର୍ବାଚନ ଲୁଲାଙ୍କୁ ପୁଣି କ୍ଷମତାରେ ରଖିଥିଲେ ମଧ୍ୟ ଦେଶର ରାଜନୈତିକ ବିଭାଜନକୁ ସ୍ପଷ୍ଟ କରିଛି । ଏବେ ନୂଆ କାର୍ଯ୍ୟକାଳରେ ଲୁଲା କିପରି ଦେଶର ବିଭିନ୍ନ ବର୍ଗର ଆଶା ଓ ଆକାଂକ୍ଷା ପୂରଣ କରୁଛନ୍ତି, ତାହା ଉପରେ ନଜର ରହିବ ।

ad-week
Leave A Reply

Your email address will not be published.