
ଫୁଲବାଣୀ, ୧୧।୨ : କନ୍ଧମାଳ ଜିଲ୍ଲା,ବିଜୁ ଜନତା ଦଳର ସଭାପତି ହେଲେ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ।ଆଜି ଦଳର ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ୍ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି। ଏଥି ପୁର୍ବରୁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏହି ପଦବୀ ରେ ରହି ଦଳର ସାଂଗଠନିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେ ଉପ-ବାଚସ୍ପତି ହେବା ପରେ ଜିଲ୍ଲା ସଭାପତି ପଦବୀ ଖାଲି ରହିଥିଲା। ଅଙ୍ଗଦ କହଁରଙ୍କ ସାଂଗଠନିକ କାର୍ଯ୍ୟ ଦକ୍ଷତା,ଦଳ ପ୍ରତି ସମର୍ପଣ ଭାବ,ଶୃଙ୍ଖଳିତ କାର୍ଯ୍ୟ ଓ ଲୋକସମ୍ପର୍କ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଦାୟିତ୍ଵ ଅର୍ପଣ କରିଛନ୍ତି। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ମୁଁ କନ୍ଧମାଳରେ ଦଳର କାର୍ଯ୍ୟକୁ ଯଥା ସମ୍ଭବ ସଠିକ୍ ଭାବରେ ତୁଲାଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସ ଓ ଭରସାକୁ ଅକ୍ଷୂର୍ଣ୍ଣ ରଖିବାକୁ ଚେଷ୍ଟା କରିବ ବୋଲି କହିଛନ୍ତି ଅଙ୍ଗଦ କହଁର। ତାଙ୍କୁ ଏହି ପଦବୀ ମିଳି ଥିବାରୁ ଜିଲ୍ଲା ବିଜେଡି ପକ୍ଷରୁ,ଜିଲ୍ଲା ପ୍ରତିନିଧି ତଥା ସମ୍ପାଦକ ବିରୁପାକ୍ଷ ପଣ୍ଡା, ସମ୍ପାଦକ କମଳ ବେହେରା,ନଗର ସଭାପତି ବିମଳେନ୍ଦୁ ପାଢ଼ୀ,ପୂର୍ବତନ ଖଜୁରିପଡା ଅଧ୍ୟକ୍ଷ ବିରେନ୍ଦ୍ର କହଁର,ବିଜେଡ଼ି ନଗର ଯୁବ ସଭାପତି ରାକେଶ ମିଶ୍ର, ଜିଲ୍ଲା ମହିଳା ବିଜୁ ଜନତା ସଭାନେତ୍ରୀ ସୁଶ୍ରୀ ଅନିମା କହଁରଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି।