ଜ୍ଞାନବାପି ମସଜିଦରେ ପୂଜା ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ସଂରକ୍ଷିତ

add-all

ପ୍ରୟାଗରାଜ: ଜ୍ଞାନବାପି ମସଜିଦର ଏକ କୋଠରିରେ ହିନ୍ଦୁମାନଙ୍କୁ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେଇଥିବା ବାରଣାସୀ ଜିଲ୍ଲା ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନ ଉପରେ ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଶୁଣାଣି ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଛନ୍ତି।
ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରୋହିତ ରଞ୍ଜନ ଅଗ୍ରଓ୍ଵାଲ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦ୍‌ର କାର୍ଯ୍ୟର ତଦାରଖ କରୁଥିବା ଅଞ୍ଜୁମନ ଇନ୍ତେଜାମିଆ ମସଜିଦ୍‌ କମିଟି ଦ୍ୱାରା ଜ୍ଞାନବାପି ମସଜିଦର ଏକ କୋଠରିରେ ହିନ୍ଦୁମାନଙ୍କୁ ପୂଜାର୍ଚ୍ଚନା କରିବାକୁ ଅନୁମତି ବିରୋଧରେ ଆଗତ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ବୋଲି କମିଟିର ଓକିଲ ଏସ୍‌ଏଫ୍‌ଏ ନକଭି କହିଛନ୍ତି।
ଏହି ମାମଲାର ଶୁଣାଣି ଶେଷ ହୋଇଛି ଏବଂ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି ବୋଲି ନକଭି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବାରଣାସୀ ଜିଲ୍ଲା ଅଦାଲତଙ୍କ ଆଦେଶ ବିରୋଧରେ ସୁପ୍ରିମ୍‌କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବାକୁ ମନା କରିବା ସହ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିବାର କିଛି ଘଣ୍ଟା ମଧ୍ୟରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍‌ କମିଟି ଫେବ୍ରୁଆରି ୨ ତାରିଖରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଜାନୁଆରି ୩୧ ତାରିଖରେ ବାରଣାସୀ ଜିଲ୍ଲା ଅଦାଲତ ରାୟ ଦେଇଥିଲେ ଯେ ଜ୍ଞାନବାପି ମସଜିଦର ଦକ୍ଷିଣ କୋଠରିରେ ମୂର୍ତ୍ତି ଆଗରେ ହିନ୍ଦୁମାନେ ପୂଜାପାଠ କରିପାରିବେ।

ad-week
Leave A Reply

Your email address will not be published.