ଭିତର କାଠ ନିକଟରେ ବାନ୍ତି କଲେ ଜନୈକ ଭକ୍ତ; ମହାପ୍ରଭୁଙ୍କ ମହାସ୍ନାନ ପାଇଁ ସାଧାରଣ ଦର୍ଶନ ପ୍ରଭାବିତ

add-all

ପୁରୀ: ଶ୍ରୀମନ୍ଦିର ଭିତର କାଠ ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିଦେବାରୁ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ଏହି ଅଘଟଣ ପରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଫଳରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିରେ ସାମାନ୍ୟ ବିଳମ୍ବ ଦେଖାଯାଇଛି। ସାଧାରଣ ଦର୍ଶନ ମଧ୍ୟ କିଛି ସମୟ ପାଇଁ ବନ୍ଦ ରଖାଯାଇଥିବାରୁ ଭକ୍ତମାନଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଛି।
ସୂଚନା ଅନୁସାରେ ଆଜି ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଥିଲା। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ଭିଡ଼ ଲାଗିଥିଲା। ଶ୍ରୀମନ୍ଦିର ବାହାର ଓ ଭିତରକାଠ ନିକଟରେ ମଧ୍ୟ ଭକ୍ତମାନଙ୍କର ଜନଗହଳି ଥିଲା। ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ଦର୍ଶନ ସମୟରେ ଜନୈକ ଭକ୍ତ ଜୟ ବିଜୟ ଦ୍ଵାର ଭିତର ପାହାଚ ନିକଟରେ ବାନ୍ତି କରି ଦେବା ଦୃଷ୍ଟିକୁ ଆସିବାରୁ ବଡ ମହାସ୍ନାନ କରାଯାଇଥିଲା।
ଅପରାହ୍‌ଣ ୪ଟା ୪୦ରେ ବଡ଼ମହାସ୍ନାନ ହେଲା ପରେ ସନ୍ଧ୍ୟା ସାଢ଼େ ୫ଟାରେ ଧୁଆଧୋଇ ହୋଇ ଚୁନପାଣି ପଡ଼ିଥିଲା। ୫ଟା ୪୫ରେ ମଇଲମ, ୬ଟା ୧୦ରେ ସିଂହାସନ ଧୁଆ, ୬ଟା ୨୦ରୁ ୬ଟା ୩୦ ପର୍ଯ୍ୟନ୍ତ ମହାସ୍ନାନ ପୂଜା କରାଯିବା ପରେ ୨ୟ ଭୋଗମଣ୍ଡପ ଉଠିଥିଲା। ତେବେ ଏହି ଅଘଟଣ ପାଇଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଥିଲା।

ad-week
Leave A Reply

Your email address will not be published.