
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରେ ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଫଳକ ନଥାଇ କାନ୍ଥରେ ସୂଚନା ଦେବା ବାବଦରେ ୩୦ରୁ ୪୦ ହଜାର ଟଙ୍କା ଅନିୟମିତତା ହୋଇଥିବା ପ୍ରସଙ୍ଗ ଉପସ୍ଥାପନା ହେବା ପରେ ୩ଦିନ ମଧ୍ୟରେ ଫଳକ ନିର୍ମାଣ କରି ସୂଚନା ପ୍ରଦାନ ନ କଲେ ଅନିୟମିତତା ଦର୍ଶାଇ ସଂପୃକ୍ତ ଜିଆରଏସ ଙ୍କ ଠାରୁ ଅର୍ଥ ଆଦାୟ କରାଯିବ ବୋଲି ବିଡ଼ିଓ ତାଗିଦ୍ କରିଥିଲେ । ଦୁଇ ତିନି ମାସ ମଧ୍ୟରେ ପାଖାପାଖି ୩୦ରୁ୫୦ ଜଣ ମୃତକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ହେଉଥିବା ସମ୍ପର୍କରେ ସମୀକ୍ଷକ ସୂଚନା ଦେଇଥିଲେ । ଖୁବ୍ ଶୀଘ୍ର ଏହି ମୃତକଙ୍କ ନାମ ରାସନ କାର୍ଡ ରୁ ବାଦ ଦେବାକୁ ବିଡ଼ିଓ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲାଇନ ବିଭାଗ ଗୁଡିକ ମଧ୍ୟରେ ଉଦ୍ୟାନ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ, ବନ ବିଭାଗ ଦ୍ବାରା ହେଉଥିବା ଅନିୟମିତତାକୁ ଖୁବ୍ ଶୀଘ୍ର ସମାଧାନ କରିବାକୁ ଆଲୋଚନା ହୋଇଥିଲା । ରାସ୍ତା ନିର୍ମାଣ ପାଇଁ ମନରେଗା ଯୋଜନାରେ ୯ଲକ୍ଷ ୯୩ହଜାର ୫୭୩ଟଙ୍କାର ଅନୁଦାନ ଦିଆଯାଇଥିବାର ଦର୍ଶା ଯାଇଛି । ଗୋଟିଏ ୱାର୍କ କୋଡ ନମ୍ବରରେ ସୂଚନା ଫଳକ ସହିତ ସରକାରୀ ରେକର୍ଡ ମଧ୍ୟରେ ପାର୍ଥକ୍ୟ ରହୁଥିବାରୁ ଏବଂ ସୁନମୁହିଁ ପଞ୍ଚାୟତରେ ଗୋପୀନାଥ ପୁର ନାମରେ କୌଣସି ଗ୍ରାମ ନଥିବାର ସାମ୍ବାଦିକ ମାନେ ବିଡ଼ିଓ ଙ୍କୁ ପଚାରିଥିଲେ ମାତ୍ର ବିଡ଼ିଓ ଅଭିଯୋଗ ସମ୍ପର୍କରେ ତଥ୍ୟ ଭିତ୍ତିକ ତଦନ୍ତ ପାଇବା ପରେ ଆପଣ ମାନଙ୍କୁ ଜଣାଇବି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷ ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଓଡ଼ଗାଁ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଲୋକପାଳ ଗିରିଶ ଚନ୍ଦ୍ର ଦାସ, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ନାରାୟଣ ବଳିଆର ସିଂ, ବ୍ଲକ ସାମାଜିକ ସମୀକ୍ଷକ ରାଜେଶ୍ କୁମାର ଜେନା, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ବିଭୁ ପ୍ରସାଦ ସାଠୁଆ, ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି ସହ ଜିଆରଏସ ମାନେ ଯୋଗ ଦେଇଥିଲେ ।