ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ୍ ପୁଲିସ୍

add-all

ଭୁବନେଶ୍ବର : ଏକ ଆନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ। ଏହି ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍। ସେମାନଙ୍କଠାରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ଦେଢ଼ କେଜି ପାଖାପାଖି ରୁପା ଅଳଙ୍କାର, କିଛି ସୁନା ଅଳଙ୍କାର, ୪ଟି ବାଇକ୍, ୮ଟି ମୋବାଇଲ୍ ଓ ଲୁଟ୍ ପାଇଁ ବ୍ୟବହାର କରୁଥିବା କିଛି ସାମଗ୍ରୀ ଜବତ କରାଯାଇଥିବା ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି, ଏପର୍ଯ୍ୟନ୍ତ ଏହି ଗ୍ୟାଙ୍ଗର ୯ ଜଣ ସଦସ୍ୟ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗର ମୁଖ୍ୟ ହେଉଛନ୍ତି ଗିରିଶ ନାଏକ ଓରଫ ଦାଦା। ତାଙ୍କ ନାଁରେ ଦୁଇଟି ହତ୍ୟା ମାମଲା ମଧ୍ୟ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଜେରାରୁ ଜଣାପଡ଼ିଛି ଯେ ମଞ୍ଚେଶ୍ୱରର ‘ସ୍ପେଶ୍ ଟାଉନ୍‌’ ଲୁଟ୍‌ରେ ଏହି ଗ୍ୟାଙ୍ଗର ସଂପୃକ୍ତି ରହିଛି। ‘ସ୍ପେଶ ଟାଉନ୍‌’ରେ ୪ଟି ଫ୍ଲାଟ୍‌ରୁ ଚୋରି ହୋଇଥିଲା। ଏହା ସହିତ ଭୁବନେଶ୍ୱରରେ ଆହୁରି ୬ଟି ମାମଲାରେ ଏହି ଗ୍ରୁପ ସଂପୃକ୍ତ ଥିବା ଜଣାପଡ଼ିଛି।
ଏହି ଗ୍ରୁପ୍‌ର ଆଉ ଜଣେ ସଦସ୍ୟ ହେଉଛନ୍ତି ବୁଲୁ ପାତ୍ର। ତାଙ୍କ ନାଁରେ ଗଞ୍ଜାମରେ ୪୦/୫୦ ମାମଲା ରହିଥିବା ଖବର ମିଳିଛି। ୨୦୧୫ରେ ସେ ଏକ ଗହଣା ଦୋକାନରୁ ୮ କିଲୋ ସୁନା ଲୁଟି ନେଇଥିଲେ। ସେହି ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ହେଉଛନ୍ତି ମୃତ୍ୟୁଞ୍ଜୟ ସାହୁ। ତାଙ୍କ ନାଁରେ ବହୁତ ମାମଲା ରହିଛି। ତାଙ୍କ ନାଁରେ ୩ଟି ହତ୍ୟା ମାମଲା ମଧ୍ୟ ଥିବା ଜଣାପଡ଼ିଛି।
ଏହି ଗ୍ୟାଙ୍ଗ କେବଳ ଓଡ଼ିଶାରେ ସକ୍ରିୟ ନଥିଲା। ସେମାନେ ଛତିଶଗଡ଼, ମୁମ୍ବାଇ ଓ ହାଇଦ୍ରାବାଦରେ ମଧ୍ୟ ଲୁଟ୍ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ସେଠାକାର ପୁଲିସ୍ ସହିତ ଯୋଗାଯୋଗ କରାଯିବ ବୋଲି ସେ କହିଛନ୍ତି।
ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଏହି ଗ୍ୟାଙ୍ଗକୁ ମୁଖ୍ୟତଃ ଗିରିଶ ନାଏକ ଓ ବୁଲୁ ପାତ୍ର ଚଲାଉଥିଲେ। ଯେତେବେଳେ ଯାହା ଅପରାଧ କରିବାର ଥାଏ, ସେମାନେ ଅନ୍ୟ ସଦସ୍ୟମାନଙ୍କୁ ଯୋଗାଯୋଗ କରିଥାଆନ୍ତି। ଗିରିଶ ନାଏକ ଦିନ ବେଳେ ରେକି କରନ୍ତି। ତା’ପରେ ରାତିରେ ଯାଇ ଲୁଟନ୍ତି। ରାତି ଗୋଟାଏରୁ ୩ଟା ଭିତରେ ସେମାନେ ଲୁଟ୍ କରୁଥିଲେ। ଲୁଟ୍‌ କରିବା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲି ଯାଉଥିଲେ। ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରାଯିବ। ରାଜ୍ୟର ଅନ୍ୟ କୌଣସି ଜିଲ୍ଲାରେ କୌଣସି ମାମଲାରେ ସେମାନଙ୍କ ସଂପୃକ୍ତି ରହିଛି କି ନାହିଁ, ସେ ନେଇ ପଚରାଉଚରା କରାଯିବ। ସେହିପରି ରାଜ୍ୟ ବାହାରେ କେଉଁ କେଉଁ ରାଜ୍ୟରେ କ’ଣ ଅପରାଧ ଘଟାଇଛନ୍ତି, ସେ ନେଇ ମଧ୍ୟ ତଦନ୍ତ ହେବ। ପରବର୍ତ୍ତୀ ସମୟରେ ସମୟରେ ସଂପୃକ୍ତ ରାଜ୍ୟଗୁଡ଼ିକର ପୁଲିସ୍ ସହିତ ଯୋଗାଯୋଗ କରାଯିବ।

ad-week
Leave A Reply

Your email address will not be published.