ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

add-all

ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି ଆଜି ଏହି ସୂଚନା ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ଚଣ୍ଡିଖୋଲ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଏକ ସାଧାରଣ ସଭାରେ ମୋଦି ଉଦବୋଧନ ଦେବେ। ଏହାସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ ୫ ତାରିଖରେ ମୋଦି କେତେବେଳେ ଓଡ଼ିଶାରେ ପହଞ୍ଚିବେ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ଏହାସହ ମୋଦିଙ୍କର ଏହି ଦିନିକିଆ ଗସ୍ତରେ ଆଉ କିଛି କାର୍ଯ୍ୟକ୍ରମ ରହିଛି କି ନାହିଁ ତାହା ଜଣାପଡ଼ିନାହିଁ।
ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଚର୍ଚ୍ଚା ହେଉଛି। ତା’ ପୂର୍ବରୁ ମୋଦି ଓଡ଼ିଶା ଆସିବା ଅନେକ ଦିଗକୁ ଇଙ୍ଗିତ କରୁଛି। ଅନ୍ୟପକ୍ଷରେ ମାର୍ଚ୍ଚ ୫ତାରିଖରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପଡ଼ୁଛି। ଏହି ଦିନ ମୋଦି ଓଡ଼ିଶାରେ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି। ଓଡ଼ିଶାରେ ବିଜେଡି ଓ ବିଜେପି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୋଦି ବିଜୁ ବାବୁ ଜନ୍ମଦିନରେ ଓଡ଼ିଶା ଆସିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୩ ତାରିଖରେ ଦିନିକିଆ ସମ୍ବଲପୁରର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ad-week
Leave A Reply

Your email address will not be published.