ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସନ୍ଦେଶଖାଲିର ୫ ମହିଳା

add-all

ଚର୍ଚ୍ଚାରେ ରହିଥିବା ପଶ୍ଚିମବଙ୍ଗ ଅନ୍ତର୍ଗତ ସନ୍ଦେଶଖାଲିର ୫ ଜଣ ମହିଳା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଗିରଫ ପରେ ଟିଏମସିରୁ ନିଲମ୍ବିତ ହୋଇଥିବା ଶେଖ ଶାହଜାହାଁ ମହିଳାମାନଙ୍କୁ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଆଣିଥିବା ଅନେକ ମହିଳାଙ୍କ ମଧ୍ୟରୁ ଆଜି ୫ ଜଣ ମୋଦିଙ୍କୁ ଭେଟିଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଶାହଜାହାଁଙ୍କ ଧମକଚମକ ଓ ଗୁଣ୍ଡାଗିରି ଜାରି ରହିଥିବା ସେମାନେ ମୋଦିଙ୍କୁ କହିଛନ୍ତି।

ଉତ୍ତର ୨୪ ପ୍ରଗଣାର ବରାସତରେ ଆଜି ମୋଦି ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାକୁ ସମ୍ଭୋଧନ କରିଥିଲେ। ଏହାପରେ ସନ୍ଦେଶଖାଲିର ୫ ଜଣ ମହିଳା ତାଙ୍କୁ ଭେଟିଛନ୍ତି।

ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମୋଦିଙ୍କୁ ଭେଟିବା ବେଳେ ୫ ମହିଳା ବେଶ ଭାବପ୍ରବଣ ହୋଇଯାଇଥିଲେ। ସେମାନେ ମୋଦିଙ୍କ ଆଗରେ ନିଜ ପୀଡ଼ାକୁ ଉପସ୍ଥାପନ କରିଛନ୍ତି। ମହିଳାମାନେ ସେମାନଙ୍କ ଦୁଃଖ କହିବା ବେଳେ ମୋଦି ବେଶ ଶାନ୍ତର ସହ ସେମାନଙ୍କ କଥା ଶୁଣିଥିଲେ ବୋଲି ବିଜେପି ସୂତ୍ରରେ କୁହାଯାଇଛି।

ଏହାପୂର୍ବରୁ ମୋଦି ମଧ୍ୟ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇ କ୍ଷମତାସୀନ ଟିଏମସି ଉପରେ ଜୋରଦାର ଢଙ୍ଗରେ ବର୍ଷିଥିଲେ। ଟିଏମସି ଶାସନରେ ମହିଳାମାନଙ୍କୁ ସେମାନଙ୍କ ଜନ୍ମ ମାଟିରେ ହିଁ ନିର୍ଯାତନା ଦିଆଯାଉଛି ବୋଲି ମୋଦି କହିଥିଲେ।

ସନ୍ଦେଶଖାଲିରେ ଯାହା ଘଟିଛି, ତାହା ସମସ୍ତଙ୍କ ମୁଣ୍ଡକୁ ଲଜ୍ଜାରେ ନୁଆଁ ଦେଇଛି। କିନ୍ତୁ ଟିଏମସି ସରକାର ଏହାକୁ ଆଦୌ ଖାତିର କରୁନାହିଁ। ବେଙ୍ଗଲବାସୀଙ୍କ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଟିଏମସି ସବୁ ପ୍ରକାରର ଉଦ୍ୟମ କରୁଥିବା ମୋଦି ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.