
ଦେବଗଡ଼ : ଛାତ୍ର ଗୁରୁଙ୍କଠାରୁ ଅଧିକ ବିଜ୍ଞାନୀ। ବିକଶିତ ପୃଥିବୀରେ ପରବର୍ତ୍ତୀ ପୀଢ଼ି ସର୍ବଦା ବିଜ୍ଞ। ଡାରଉଇନ୍ ତଥ୍ୟ ଅନୁସାରେ ସବୁବେଳେ ମଣିଷ ନୂଆ ସୃଷ୍ଟି କରିଥାଏ। ପରିବର୍ତ୍ତନଶୀଳ ପରମ୍ପରା, ଘଟୁଥିବା ଘଟଣା, ପରିବେଶରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଚିନ୍ତନ କରନ୍ତି। ଏଥିରୁ ଜ୍ଞାନ ଅର୍ଜନ କରିଥାନ୍ତି। ଏହା ସତ୍ତ୍ୱେ ଛାତ୍ର ଜୀବନ ଗଠନରେ ବିଦ୍ୟାଳୟ ଓ ଶିକ୍ଷକର ଭୂମିକା ଅତି ମହତ୍ୱପୂର୍ଣ୍ଣ। ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଜାମ୍ବୁନାଳୀ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହର ଉଦଘାଟନ ଉତ୍ସବ ଅବସରରେ ଏହା କହିଛନ୍ତି ମୁଖ୍ୟ ବକ୍ତା ଡ.ପଦ୍ମନାଭ ସାହୁ। ୨୫ ବର୍ଷ ଅବସରରେ ଜାମ୍ବୁନାଳୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ଯୋଗ ଦେଇଥିଲେ। ସେ କହିଥିଲେ, ସମୟ ବହୁତ ମୂଲ୍ୟବାନ। ଗୋଟିଏ ମୁହୂର୍ତ୍ତ ବି ନଷ୍ଟ କରିବା କଥା ନୁହେଁ। ଛାତ୍ରଛାତ୍ରୀ ସମୟର ଗୁରୁତ୍ବ ବୁଝିଲେ ହିଁ, ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ।ଆଦିବାସୀ ବହୁଳ ଅଞ୍ଚଳ ଜାମ୍ବୁନାଳୀ ଉଚ୍ଚ ବିଦ୍ୟାଳୟର ୨ ଦିନିଆ ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି। ସଭାପତି ପ୍ରମୋଦ କୁମାର ଝାଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଶାନ୍ତି ମଞ୍ଜରୀ ଦେଇ, ମୁଖ୍ୟ ବକ୍ତା ଭାବେ ଡ.ପଦ୍ମନାଭ ସାହୁ, ସମ୍ମାନିତ ଅତିଥି ଭାବେ ଏସଡିସି ଜିଲ୍ଲା ସଭାପତି ପଞ୍ଜିଆ ଭୋଇ, ସମାଜସେବୀ ଇଂ.ଚିତ୍ତରଞ୍ଜନ ପ୍ରଧାନ, ପ୍ରଧାନ ଶିକ୍ଷକ ଶ୍ରଦ୍ଧକର ପ୍ରଧାନ, ଅନିରୁଦ୍ଧ ପ୍ରଧାନ, ପ୍ରଭାତୀ ପ୍ରଧାନ, ଶାନ୍ତିମଞ୍ଜରୀ ପ୍ରଧାନ, ସୁବାସ ନାୟକ, ଶଙ୍କର ବାବା ମଞ୍ଚାସୀନ ଥିଲେ। ଗୋଟିଏ ଶିକ୍ଷାନୁଷ୍ଠାନ ୩୫ ବର୍ଷ ପୂରଣ କରିବା ଓ ପୁରାତନ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ଏହାକୁ ଧୁମଧାମରେ ପାଳନ କରିବା ଗର୍ବର କଥା ବୋଲି ମଞ୍ଚାସୀନ ଅତିଥି କହିଥିଲେ। ପୁରାତନ ଛାତ୍ରୀ ତୃପ୍ତିବାଳା ପ୍ରଧାନ ଓ ଜୟଲଳିତା ଜ୍ୟୋତିଷ ମଞ୍ଚ ସଞ୍ଚାଳନ କରିଥିଲେ। ଶିକ୍ଷକ ଚନ୍ଦ୍ରଭାନୁ ଜ୍ୟୋତିଷ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ରୌପ୍ୟ ଜୟନ୍ତୀରେ ୩୫ ବର୍ଷର ପ୍ରାୟ ହଜାରେରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଆଜି ଯୋଗ ଦେଇଥିଲେ। ଶିକ୍ଷାନୁଷ୍ଠାନ କିଭଳି ସେମାନଙ୍କ ଭାଗ୍ୟ ଗଢିଛି ତାର ସ୍ମୃତି ଚାରଣ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗୁରୁପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ। ଏଥରେ ବିଦ୍ୟାଳୟର ସମସ୍ତ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି ଉତ୍ସବରେ ପୁରାତନ ଛାତ୍ର ଭୂପେନ୍ଦ୍ର ପ୍ରସାଦ ନାୟକ, ସିକୁନ ପ୍ରଧାନ, ଦେବୁ ଦା, ସୁକାନ୍ତ ପ୍ରଧାନ, ସନ୍ଦୀପ ଜ୍ୟୋତିଷ, ହୃଷୀକେଶ ଭୋଇ, ସୁମନ୍ତ ରଣା, ମିଲନ ପ୍ରଧାନ, ଦିଲୀପ ବେହେରା, ଯଜ୍ଞଦତ୍ତ ଜ୍ୟୋତିଷ, ତୋଫାନ ଅମାତ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତିକାଲି ରୌପ୍ୟ ଜୟନ୍ତୀରେ ଉଦଯାପନୀ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।