ଦେବଗଡ,୧୪ା: ବୁଧବାର ବିଳମ୍ବିତ ରାତ୍ରୀରେ ଦେବଗଡ ଥାନା ବଳମ ଗ୍ରାମ ପଂଚାୟତ ଅନ୍ତର୍ଗତ ନୂଆଁଗାଁ ଗ୍ରାମରେ ଧୃବଚରଣ ସାହୁ(୪୨)ନାମକ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏକ ଆମ୍ବଗଛରେ ରଶିରେ ଝୁଲି ଆତ୍ମହତ୍ୟା କରିଥିବା ତାଙ୍କର ସ୍ତ୍ରୀ ଓ ପୁଅ ଅଭିଯୋଗ କରିଛନ୍ତି । ମୃତ ଧୃବଚରଣଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଢେଙ୍କାନାଳ ଜିଲା କାମାକ୍ଷାନଗର ଗ୍ରାମର ଧୃବଚରଣ ସାହୁ ପ୍ରାୟ ୧୭ ବର୍ଷ ପୂର୍ବେ ନୂଆଁଗାଁ ଗ୍ରାମର ସ୍ୱର୍ଗତଃ ଅନନ୍ତ ଧଳଙ୍କ ଝିଅକୁ ବିବାହ କରିବାସହ ଘରଜ୍ୱାଇଁ ଭାବେ ଶ୍ୱଶୁର ଘରେ ରହୁଥିଲେ । ଧୃବଚରଣ ଜଣେ ମୋଟର ସାଇକେଲ ମେକାନିକ ହୋଇଥିବାରୁ ସମ୍ବଲପୁର ଜିଲାର କୁସୁମିରେ ରହି ବାଇକ ସଜାଡିବା କାମ କରୁଥିଲେ ଓ ଗତକାଲି ରାତ୍ରୀ ପ୍ରାୟ ୧୨ଟା ସମୟରେ ନିଶାଶକ୍ତ ଅବସ୍ଥାରେ ନୂଆଁଗାଁ ସ୍ଥିତ ନିଜ ଘରକୁ ଆସି ସ୍ତ୍ରୀ, ପୁଅ ଓ ଶାଶୁଙ୍କୁ ଗାଳି ଗୁଲଜ କରିଥିଲେ । ଏହାର ପ୍ରତିବାଦ କରିବାରୁ ଧୃବଚରଣ କୁଆଡେ ଉପରୋକ୍ତ ତିନିଜଣଙ୍କୁ ଏକ କୋଠରୀରେ ପୁରାଇ ବାହାର ପଟୁ ହୁକ ଦ୍ୱାରା କବାଟ ବନ୍ଦ କରି ଦେଇଥିଲେ । ଏହାପରେ ଅନତି ଦୂରରେ ଥିବା ଏକ ଆମ୍ବ ଗଛରେ ଗଳାରେ ଏକ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏକତା ଜାଣିବାପରେ ତାଙ୍କ ସ୍ତ୍ରୀ ଓ ପୁଅ କୌଣସି ପ୍ରକାରେ ବାହାରକୁ ବାହାରିବା ସହ ଧୃବଚରଣ ଗଛ ଉପରୁ ଜୀବୀତ ଅବସ୍ଥାରେ ଉଦ୍ଧାର କରି ତଳକୁ ଓହ୍ଲାଇଥିଲେ । ଏଥିସହ ୧୦୮ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ଦେବଗଡ ଆଦର୍ଶ ଥାନା ପୁଲିସ ଏକ ମାମଲା ଋଜୁ କରିବାସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ କେଉଁ କାରଣରୁ ଧୃବଚରଣଙ୍କ ମୃତ୍ୟୁ ଘଟିଛି ତାହା ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଓ ବ୍ୟବଚ୍ଛୈଦ ରିପୋର୍ଟ ଆସିବାପରେ ଏହା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
