ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ମଧ୍ୟ ଦେଇ ୧୫୭ ନମ୍ବର ଜାତୀୟ ରାଜପଥ ସହ ସଂଯୋଗ କରିବା ପାଇଁ ୭/୮ ବର୍ଷ ପୂର୍ବେ ସରକାର ଙ୍କର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବ୍ରହ୍ମପୁର – ଫୁଲବାଣୀ ଓ ଫୁଲବାଣୀ – ବୌଦ୍ଧ ରାଜ୍ୟ ରାଜପଥ କୁ ପ୍ରଶସ୍ତ କରି ମାଦିକୁନ୍ଦା ଛକ ଠାରୁ ଜିରିଙ୍ଗିପଡା ସର୍କଲ ରୋଡ଼ ଦେଇ ଏଫ ସି ଆଇ ଛକରେ ଏହି ରାସ୍ତା ମିଶିବା ପାଇଁ ଏହି ଯୋଜନା ହୋଇଥିଲା। ଏହି ରାସ୍ତା କଡରେ ଥିବା ଘର ଗୁଡିକ ଭଙ୍ଗା ଯିବା ନିମନ୍ତେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ବାହାର ଜିଲ୍ଲାରୁ ଆସି ବେଆଇନ ଭାବରେ ଘର କରିଥିବା ପ୍ରଭାବଶାଳୀ ଲୋକ ମାନଙ୍କର ଘର ଭଙ୍ଗାଯିବ ଏହାକୁ ବିରୋଧ କରି କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ଆନ୍ଦୋଳନ କରିଥିଲେ। ପ୍ରଶାସନ ଏହି ଆନ୍ଦୋଳନ କୁ ଦୃଷ୍ଟି ରେ ରଖି ଏହି ଯୋଜନା କୁ ପରିବର୍ତ୍ତନ କରିଥିଲେ। ଜନ ସାଧାରଣ ଙ୍କର ପ୍ରତିବାଦ ହେତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେହିରାସ୍ତା ଜିଲ୍ଲାର ବହୁଳ ଭାବରେ ଆଦିବାସୀ ମାନଙ୍କର ଜମି,ଜଙ୍ଗଲ ଥିବା ଅଞ୍ଚଳ ଦେଇ ରାସ୍ତା ନିର୍ମାଣ କରିବା ପାଇଁ ପୁନଃ ବାର ଜିଲ୍ଲା ପ୍ରଶାସନର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ରାସ୍ତା ପକନା ଗାଁ,ତିଲକପଡା,କଲାଡ଼ି, ରୁଜାଙ୍ଗି,ମୂଳଗୁଦାରି,କୁଟିବାରି, ବିଡାଙ୍ଗି, ଗୌଡ଼ପଡା, ଦାତପାଜୁ ମୌଜାର ଆଦିବାସୀ , ହରିଜନ, ଓ ପଛୁଆ ଵର୍ଗ ଲୋକଙ୍କ ଜାଗା ଦେଇ ବାଇପାସ ରାସ୍ତା ତିଆରି ହେଉଥିବା ଯୋଗୁଁ ସାଧାରଣ ନିରୀହ ଲୋକ ମାନଙ୍କର ଘରଦ୍ୱାର , ଚାଷଜମି କ୍ଷତିଗ୍ରସ୍ତ ହେଉଛି। ନିରୀହ ଆଦିବାସୀ ହରିଜନ ଭୂମିହୀନ ଓ ବାସହରା ହୋଇଯିବେ ଏହାର ପ୍ରତିବାଦରେ ଶତାଧିକ ପୁରୁଷ ମହିଳା ସ୍ଥାନୀୟ କଲେଜ ଛକ ଠାରୁ କନ୍ଧମାଳ ଜିଲ୍ଲା କୁଇ ସମାଜ ଯୁବ ନେତା ସମାଜସେବୀ ତଥା ମିଳିତମଞ୍ଚ ସଭାପତି ସମିର ଘଟାଲ ଓ କୁଇ ସମନ୍ୱୟ ସମିତି ସମ୍ପାଦକ ତଥା ଆଦିବାସୀ ନେତା ସର୍ଦ୍ଦାର ବରିଷ୍ଠ ଆଇନଜୀବୀ ଲମ୍ବୋଦର କଁହରଙ୍କର ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ଯୋଗ ଦେଇ ଏକ ଶୋଭାଯାତ୍ରା ରେ ବାହାରି ଡେପୁଟି କଲେକ୍ଟର ଲାକ୍ରା ବିରୁଦ୍ଧରେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଦିବାସୀ ନେତା ଲମ୍ବୋଦର କଁହର ଜିଲ୍ଲା ପ୍ରଶାସନ ଅଧିକାରୀ, ଆଦିବାସୀ ମାନଙ୍କର ପେସା ଆଇନ କଣ ଜାଣି ନାହିଁ। ପଲ୍ଲୀସଭା ଓ ଗ୍ରାମସଭା ଦ୍ୱାରା ଆଦିବାସୀ ହରିଜନ ଙ୍କର ଜମିକୁ ସରକାର ଅଧିଗ୍ରହଣ କରିବା କଥା କିନ୍ତୁ ତାହା ନକରି ୬୦ ଦିନ ଭିତରେ ଜମି ମାଲିକ କିମ୍ବା ଆଗ୍ରହୀ ବ୍ୟକ୍ତି ମାନେ ଉକ୍ତ ଜମିର ଅଧିକାର ନିମ୍ନ ସାକ୍ଷର କାରୀ ଙ୍କୁ ୬୦ ଦିନର ସମୟ ସୀମା ମଧ୍ୟରେ ହସ୍ତାନ୍ତର କରିବେ ଅନ୍ୟଥା ଅବଧି ଶେଷ ହେବାପରେ ପୋଲିସ ସହାୟତା ରେ ଉକ୍ତ ଜମିର ଅଧିକାର ନିଆଯିବ ବୋଲି ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହାକୁ ଆଦିବାସୀ ମାନଙ୍କ ବହୁତ କଷ୍ଟର ବିଷୟ ଥିଲା, ସେହି ଆଦେଶ କୁ ଆଦିବାସୀମାନେ ଗ୍ରହଣ ନକରି ଡେପୁଟି କଲେକ୍ଟର ଅଧିକାରୀ ଲାକ୍ରାଙ୍କ ବିରୁଦ୍ଧରେ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ ଦିଆଯାଇଥିବା କହିଥିଲେ। ଏହି ଜିଲ୍ଲାରେ ରହିଥିବା ଜଳ, ଜଙ୍ଗଲ , ଜମି ହେଉଛି ଆଦିବାସୀ ମାନଙ୍କ ର କେଉଁ ସରକାର ଛଡାଇ ନେବା ର ସାହସ ନାହିଁ। ଯଦି ଆଦିବାସୀ ମାନଙ୍କ ର ଦାବୀ ସରକାର ପୂରଣ ନ କରନ୍ତି ତେବେ ଜିଲ୍ଲା ର ପ୍ରତ୍ୟେକ ଅଂଚଳ ଚକା ବନ୍ଦ ଅଭାଯାନ ଚାଲିବ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆନ୍ଦୋଳନ ହେବ ବୋଲି ସରକାରଙ୍କୁ ସମାଲୋଚନା କରି କଡା ଚେତାବନୀ ଦେଇଥିବା ବେଳେ ସମାଜସେବୀ ତଥା କୁଇ ସମାଜ ଯୁବନେତା ବିନୋଦ କୁମାର ପ୍ରଧାନ , ଫିରିଙ୍ଗିଆ ବ୍ଲକ ପାଣ ସମାଜ ସଭାପତି ଚନ୍ଦ୍ର ମୋହନ ନାୟକ, ଆଦିବାସୀ ନାରୀନେତ୍ରୀ ଗ୍ରାମାଞ୍ଚଳ ସୁରକ୍ଷା ସମିତି ଗୀତାଞ୍ଜଳି କଁହର, ଟିଟ୍ରାପଙ୍ଗା ସରପଞ୍ଚ ସଞ୍ଜୀବ ରତନ ପ୍ରଧାନ, ପଞ୍ଚାନନ କଁହର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଗ୍ନି ବର୍ଷି ଭାଷଣ ଦେଇ ସରକାରଙ୍କୁ ସମାଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳ କନ୍ଧମାଳ ଅନୁପସ୍ଥିତ ଥିବାରୁ ୫ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଫୁଲବାଣୀ ଉପ ଜିଲ୍ଲାପାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ କୁ କୁଇ ସମାଜ ସେବା ସମିତି ସମ୍ପାଦକ ଇଂ ଅବନୀ ଜାନୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ କେ ଏସ ଏସ ଏସ, କୋଷାଧ୍ୟକ୍ଷ ଶ୍ରୀ କଁହର, ମୁରଲୀଧର ଦିଗାଲ,ଚରିତ୍ର ଦେହୁରୀ,ସୁଧାକର କଁହର,ସାଇବେଣୀ କଁହର,ପଙ୍କଜ ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ। ମିଳିତ ମଞ୍ଚ ଆନ୍ଦୋଳନ ଶାନ୍ତି ଶୃଂଖଳା ଦୃଷ୍ଟି କୋଣରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର ଙ୍କର ନିର୍ଦ୍ଦେଶରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
