
ଛତ୍ରପୁର : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡି ପୋଲିସ ଥାନା ପକ୍ଷରୁ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ‘ଆମ ପୋଲିସ ସମିତି’ ତରଫରୁ ଏକ ସଚେତନତା କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି । ପ୍ରବେଶନାରୀ ଆଇ.ପି.ଏସ୍ ଅଧିକାରୀ ଏ.ବି. ଶିଳ୍ପା ମୁଖ୍ଯଅତିଥି ଭାବେ ଯୋଗଦେଇ ଆଇନ୍ ଶୃଙ୍ଖଳା ବିଷୟରେ ଜନସାଧାରଣଙ୍କୁ ସଚେତନତା କରିଥିଲେ । ଜନସାଧାରଣ ଆଇନକୁ ହାତକୁ ନନେବା, ସାଇବର ଅପରାଧୀମାନଙ୍କ ପ୍ରତି ସତର୍କ ରହିବା,ବାଲ୍ଯ ବିବାହକୁ ପ୍ରୋତ୍ସାହନା ନ ଦେବା ,ବୃଦ୍ଧ ବାପା ମାଆଙ୍କ ପ୍ରତି ଅବହେଳା ନ କରିବା ପ୍ରଭୃତି ବିଷୟ ପ୍ରତି ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ ।
ଏସବୁ କ୍ଷେତ୍ରରେ ପୋଲିସକୁ ସହଯୋଗ କରି ସହାୟତା ନେବା ପାଇଁ ବକ୍ତବ୍ଯ ରଖିଥିଲେ । ଚମାଖଣ୍ଡି ଭାରପ୍ରାପ୍ତ ଥାନା ଅଧିକାରୀ ଦିପିକା ରାୟ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା, ଆବଶ୍ୟକ ସ୍ଥଳେ ପୋଲିସର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଆଇନ ପରାମର୍ଶ ଦାତା ରାଜେଶ ମିଶ୍ର ଆଇନର ବିଭିନ୍ନ ଦିଗରୁ ଆଲୋଚନା କରି ପୋଲିସ ଅଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ସହ ଅପରାଧ ନିୟନ୍ତ୍ରଣରେ ପୋଲିସକୁ ସଭିଁଏ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଅବସରପ୍ରାପ୍ତ ରାଜ୍ଯସ୍ତରୀୟ ପୁରସ୍କୃତପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ବରିଷ୍ଠ ନାଗରିକ ମଞ୍ଚର ସଭ୍ୟମାନଙ୍କ ପାଇଁ ପୋଲିସ ତରଫରୁ ପରିଚୟ ପତ୍ର ପ୍ରଦାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ।ଅନ୍ଯମାନଙ୍କ ମଧ୍ଯରେ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ସରପଞ୍ଚ ବି.ସୁଦାମ,ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା,ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ ଉଦବୋଧନ ଦେଇଥିଲେ । ଜଗନ୍ନାଥପୁର ଛକ ଫାଣ୍ଡି ଅଧିକାରୀ ଅରୁଣ କୁମାର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସାଂଗକୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଗ୍ରାମ ସଭାପତି ଅମରେଶ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।