ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ୫୯ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ମାଣିକନଗର ଛକ ନିକଟରେ ଏକ କାର(ଜିଜେ୧୯ଏଏଫ ୬୨୫୮) ପଛପଟକୁ ଏକ ଯାତ୍ରୀବାହୀ ବସ୍ (ଓଆର୦୭ଏଏ ୪୯୮୯)ର ଧକ୍କା ଘଟିଛି । ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇନଥିବା ବେଳେ ବସରେ ଯାତ୍ରା କରୁଥିବା କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାରେ କାରର ପଛଭାଗ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ କିଛି ସମୟ ପାଇଁ ୫୯ନଂ ଜାତୀୟ ରାଜପଥ ଉପରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ବସ୍ ଚାଳକ ସହ ଉଭୟ ଗାଡିକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଗତ ୩ ଦିନ ଧରି ଯାତ୍ରୀବାହୀ ବସର ବ୍ରେକ୍ ଠିକ୍ ଭାବେ କାମ କରୁନଥିବାରୁ ଦୁର୍ଘଟଣା ଘଟିଛି ବୋଲି ବସ୍ ଚାଳକ ପୁଲିସକୁ କହିଛି । ବସ୍ ଚାଳକ ଜଣଙ୍କ ଗାଡିର ବ୍ରେକ ସଠିକ ଭାବେ କାମ କରୁନଥିବା ନେଇ ଗାଡି ମାଲିକଙ୍କୁ ଅବଗତ କରିଥିଲେ ମଧ୍ୟ ମାଲିକ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଚାଳକ ଜଣଙ୍କ କହିଛନ୍ତି । ଘଟଣା ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ, ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ କାରଟି ଯାଉଥିବା ବେଳେ ପଛପଟୁ ଆସୁଥିବା ଯାତ୍ରୀବାହୀ ବସଟି ହିଞ୍ଜିଳିକାଟୁ ମାଣିକନଗର ଛକ ନିକଟରେ କାର ପଛପଟକୁ ଧକ୍କା ଦେଇଥିଲା ।
