ହିଞ୍ଜିଳିକାଟୁ : ପ୍ରଥମ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ମହିଳା ଜଣଙ୍କ ସ୍ୱାମୀଙ୍କ ନାମରେ ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୨୬୨/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ, ଆସିକା ଥାନା ପିତଳ ଗ୍ରାମର ସୁକାନ୍ତି ମହାନ୍ତି(୨୯)ଙ୍କ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମର ସନ୍ତୋଷ ମହାନ୍ତିଙ୍କ ସହ ଗତ ୨୦୧୪ ମସିହାରେ ବାହାଘର ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା । ବାହାଘରର କିଛି ବର୍ଷ ପରେ ଉଭୟ ସ୍ୱାମୀ୦ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିବାରୁ ମହିଳା ଜଣଙ୍କ ଗତ ୫ବର୍ଷ ଧରି ପୁଅ ଓ ଝିଅ ସହ ବାପାଘରେ ରହି ଆସୁଥିଲେ । ଗତ ୧୬ ତାରିଖ ଦିନ ମହିଳାଙ୍କ ଦେଢଶୁରଙ୍କ ଝିଅ ବାହାଘର ଥିବାରୁ ଡକରା ପାଇ ମହିଳା ଜଣଙ୍କ ଶଶୁର ଘର ଗ୍ରାମ କଣ୍ଟେଇକୋଳି ଯାଇଥିଲେ । ସେଠାରେ ମହିଳା ଜଣଙ୍କ ସ୍ୱାମୀଙ୍କ ସହ କଥାବାର୍ତ୍ତା ବେଳେ ତାଙ୍କ ସହ ପୁଅ ଓ ଝିଅକୁ ସାଙ୍ଗରେ ନେବା ପାଇଁ କହିଥିଲେ । ଏଥିରେ ସ୍ୱାମୀ ଉତକ୍ଷିପ୍ତ ହେବା ସହ ସେ, ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମର ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି, ଏବଂ ଦ୍ୱିତୀୟ ସ୍ତ୍ରୀ ସହ ମିଶି ରହିବା ପାଇଁ ସନ୍ତୋଷ, ସୁକାନ୍ତିଙ୍କୁ ବାଧ୍ୟ କରିଥିଲେ । ସ୍ୱାମୀଙ୍କ ଦ୍ୱିତୀୟ ବିବାହ ହେବା ଜାଣିପାରି ଘଟଣା ନେଇ ସୁକାନ୍ତି ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
