
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଭ୍ୟନ୍ତରୀଣ ଗାଁ ଗୁଡିକର ଗର୍ଭବତୀ ମହିଳା ମାନଙ୍କୁ ସୁରକ୍ଷିତ ପ୍ରସବ ସେବା ଯୋଗାଇ ଦେବା ନିମନ୍ତେ ଜାତୀୟ ସାସ୍ଥ୍ୟ ମିଶନ ତରଫରୁ ବିଭିନ୍ନ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ଗୁଡିକରେ ଭ୍ରାମ୍ୟମାଣ ପ୍ରସବ ଯାନର ବ୍ୟବସ୍ଥା କରାଯାଇଛି । ଏହି ଭ୍ରାମ୍ୟମାଣ ଯାନ ଗୁଡିକରେ ପ୍ରଶିକ୍ଷିତା ନର୍ସ, ସହାୟିକା ଓ ଡ୍ରାଇଭର ମାନେ ନିଯୁକ୍ତ ରହିଛନ୍ତି ଏବଂ ଏହା ଚବିଶ ଘଂଟିଆ ସେବା ଯୋଗାଇ ଦେଉଛି । ଗାଁ ଗୁଡିକରୁ ଗର୍ଭବତୀ ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ସହ ଆବଶ୍ୟକ ସ୍ଥଳେ ଏହି ଯାନରେ ପ୍ରସବ କରାଇବାର ସମସ୍ତ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
ଜିଲ୍ଲାର ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ଫିରିଙ୍ଗିଆ, ଇନ୍ଦ୍ରଗଡ, ବେଲଘର ଓ ସାରଙ୍ଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୪ଟି ଭ୍ରାମ୍ୟମାଣ ପ୍ରସବଯାନର ପରିଚାଳନା କରୁଛି ।ଗତ ମାର୍ଚ୍ଚ ମାସରେ ସାରଙ୍ଗଡର ଭ୍ରାମ୍ୟମାଣ ପ୍ରସବଯାନ ୫୫ ଜଣ ଗର୍ଭବତୀଙ୍କୁ ପରିବହନ ଓ ପ୍ରସବ ସେବା ଯୋଗାଇ ଦେଇ ଏକ ମାସରେ ସର୍ବାଧିକ ପ୍ରସବ ସେବା ଯୋଗାଇ ଦେବାରେ ରେକର୍ଡ କରିଛି l
ଏଥିରୁ ୨ଜଣ ପ୍ରସବ ଯାନରେ ପ୍ରସବ ସେବା ପାଇଥିବା ବେଳେ ୨ଜଣ ଶିଶୁଙ୍କୁ ଅତିରିକ୍ତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି ।ଗତ ଏକ ବର୍ଷ ମଧ୍ୟରେ ଏହି ଯାନ ଦ୍ବାରା ସମୁଦାୟ ୩୮୩ ଜଣ ଗର୍ଭବତୀ ମହିଳା ଉପକୃତ ହୋଇ ପାରିଛନ୍ତି । ଗତ ୨୦୨୨ ମସିହା ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି ଭ୍ରାମ୍ୟମାଣ ପ୍ରସବ ଯାନ କ.ନୂଆଗାଁ ବ୍ଲକ୍ର ୧୨ଟି ପଂଚାୟତ ସହ ଟିକାବାଲି ଓ ଫିରିଙ୍ଗିଆ ବ୍ଲକ୍ର ୫ଟି ପଂଚାୟତର ଆଭ୍ୟନ୍ତରୀଣ ଗାଁ ଗୁଡିକର ଗ୍ରାମବାସୀ ମାନଙ୍କୁ ସେବା ଯୋଗାଇ ଦେଇ ଆସୁଛି । ଏହା ଯୋଗୁଁ ଦୁର୍ଗମ ଗାଁ ଗୁଡିକରେ ମାତୃ ଓ ଶିଶୁ ମୃତ୍ୟୁହାର କମିବା ସହ ଡାକ୍ତରଖାନା ପ୍ରସବ ପ୍ରତି ଆଗ୍ରହ ବଢିଛି।