
ଫୁଲବାଣୀ: ଆଶାୟୀ ପ୍ରାର୍ଥୀ ନିରାଶା ହେଲେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଡେଇଁ ଥାନ୍ତି l ଯାହା ବୁଦ୍ଧିଜିବୀ ଓ ସମାଲୋଚକ ମାନେ କହନ୍ତି l ଦଳ ଡିଆଁରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ତାଙ୍କର ଦଳ ପ୍ରତି ଆନ୍ତରିକତା ନଥିଲା l ଦଳରୁ କିଛି ପାଇବା ପାଇଁ ସ୍ୱାର୍ଥ ଥିଲା l ସ୍ୱାର୍ଥ ପୂରଣ ନ ହେବାରୁ ଦଳ ଛାଡିଲେ l ବିଶେଷ କରି ନିର୍ବାଚନ ଘୋଷଣା ହେବା ପରେ ଦଳ ଡିଆଁ ପର୍ବ ଆରମ୍ଭ ହୁଏ l ଦଳରେ ଉଚ୍ଚ ପଦ ପଦବୀରେ ଥିବା ସ୍ୱତେ ଆହୁରି ଉଚ୍ଚ ପଦବୀ ପାଇବା ଆଶାରେ ଦଳ ପରିତ୍ୟାଗ କରିଥାନ୍ତି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l କନ୍ଧମାଳ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍ଡିସି) ଅଧ୍ୟକ୍ଷ ରଦନ ମଲ୍ଲିକ ବିଜେଡିରୁ ଇସ୍ତଫା ଦେବା ପରେ କନ୍ଧମାଳ ରାଜନୀତିରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖ୍ ସମସ୍ତ ଦଳୀୟ ପଦବି, ପ୍ରାଥମିକ ସଦସ୍ୟ ସହ ଏସ୍ଡିସି ପଦବିରୁ ଇସ୍ତଫା ଦେଇଥିବା କହିଛନ୍ତି ରଦନ। ଟିକାବାଲି ଅଞ୍ଚଳର ଜଣାଶୁଣା ଆଦିବାସୀ ନେତା କ୍ରମାଗତ ଦ୍ଵିତୀୟ ଥର ପାଇଁ ସ୍ବତନ୍ତ୍ର
ଉନ୍ନୟନ ପରିଷଦ ଅଧକ୍ଷ ହୋଇଥିଲେ। ସେ ବିଜେଡିର ଟିକାବାଲି ବ୍ଳକ ସଭାପତି ମଧ୍ୟ ଥିଲେ। ଜି. ଉଦୟଗିରି ବିଧାନସଭା ଆସନ ପାଇଁ ଟିକଟ ଆଶାୟୀ ଥିଲେ ରଦନ। ଗତଥର ଏଥିରୁ ବଞ୍ଚିତ ହୋଇଥିବା ବେଳେ ଏଥରକ ନିଶ୍ଚୟ ଟିକଟ ମିଳିବା ନେଇ ଆଶାବାଦୀ ଥିଲେ। ତେବେ ଦଳ ଜି.ଉଦୟଗିରି ପାଇଁ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ପୁଣି ପ୍ରାର୍ଥୀ କରିବା ପରେ ସେ ନିରାଶ ହୋଇଥିଲେ। ଦୀର୍ଘ ବର୍ଷ ଧରି ସେ ଦଳରେ ରହିଥିଲେ। ତେବେ ଇସ୍ତଫା ପରେ ଟିକାବାଲି ଅଞ୍ଚଳ ସମେତ ସମଗ୍ର ଜିଲ୍ଲାରେ ସେ ନେଇ ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି।