ଜିଲ୍ଳାସ୍ତରୀୟ ରେଡକ୍ରସ କମିଟି ବୈଠକ ଅନୁଷ୍ଠିତ..

add-all

ମାଲକାନଗିରି : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରେଡକ୍ରସ କମିଟି ବୈଠକ ଜିଲ୍ଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଜରୁରୀ କାଳୀନ ପରିସ୍ଥିତିରେ ଲୋକଙ୍କ ସହାୟତା ପାଇଁ ଜିଲ୍ଲାରେ ରେଡକ୍ରସ ପାଣ୍ଠି ସଂଗ୍ରହ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ତେଣୁ ସମସ୍ତ ବିଭାଗ ତତ୍ପରତା ପ୍ରକାଶ କରି ଜିଲ୍ଲା ରେଡକ୍ରସ ପାଣ୍ଠି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ଅର୍ଥ ପଇଠ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲା ରେଡକ୍ରସ ପାଣ୍ଠିର ବ୍ୟୟ ବିଭିନ୍ନ ପ୍ରକାର ଆପଦକାଳୀନ ସମୟରେ ହେଉଥିବାରୁ ଏହି ଅର୍ଥର ସଂଗ୍ରହ ନିତାନ୍ତ ଆବଶ୍ୟକ ରହିଛି। ଜିଲ୍ଲାରେ ବହୁତ ବିପଦ ସଙ୍କୁଳ ରୋଗୀ, ବିପର୍ଯ୍ୟୟ ପୀଡ଼ିତଙ୍କ ନିମନ୍ତେ ଏହି ଅର୍ଥ ବିନିଯୋଗ କରାଯାଇ ଲୋକଙ୍କ ଆଶ୍ୱସ୍ତି ପ୍ରଦାନ କରାଯାଉଛି। ଜିଲ୍ଲାରେ ୧୨୬୫ ଜଣ ଟିବି ରୋଗୀଙ୍କୁ ଏହି ରେଡକ୍ରସ ପାଣ୍ଠିରୁ ପୌଷ୍ଟିକ ଆହାର ଯୋଗାଇ ସେମାନଙ୍କର ଆରୋଗ୍ୟ କାମନା କରାଯାଉଛି। ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ରେଡକ୍ରସର ସଦସ୍ୟ ହେବା ପାଇଁ ଓ ଏହାର ସଂଖ୍ୟା ବୃଦ୍ଧି ନିମନ୍ତେ ଅନୁରୋଧ କରିଥିଲେ। ରେଡକ୍ରସର ସଦସ୍ୟ ହେବାପାଇଁ କିଛି ନାମାଙ୍କନ ରାଶି ସହିତ ଆଧାର ପରିଚୟ ପତ୍ର ଓ ୨ ଟି ଫଟୋ ଆବଶ୍ୟକ ରହିଛି।

ମାଲକାନଗିରି ଜିଲ୍ଲାରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଜିଲ୍ଲାପାଳ ଆହ୍ଵାନ କରିବା ସହ ସମସ୍ତେ ସ୍ଵେଚ୍ଛାକୃତ ହୋଇ ଏହାକୁ ପ୍ରୋତ୍ସାହନ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ମଧ୍ୟ ସେ ଉଦବୋଧନ ଦେଇଛନ୍ତି। ଏହି ଉଦବୋଧନ କ୍ରମେ ଜିଲ୍ଲାରେ କିଛି ଅଧିକାରୀ ଆଜି ରେଡକ୍ରସର ସଦସ୍ୟ ହେବା ପାଇଁ ନାମାଙ୍କନ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ ନାରାୟଣ ରଥ ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ ଏବଂ ତହସିଲଦାର ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.