ସମସ୍ତ ଯାଞ୍ଚ ପରେ ଟିକଟ ଦିଆଯାଇଛି : କଂଗ୍ରେସ ଜିଲ୍ଲା ସଭାପତି

add-all

ଫୁଲବାଣୀ:୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆ ଯାଇଥିବା ପ୍ରାର୍ଥୀଙ୍କ ଆଦିବାସୀ ମାନ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି କୁଇ ସମାଜ। ଏହାକୁ ନେଇ ସମାଜ ପକ୍ଷରୁ ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ମଧ୍ୟ ଦିଆଯାଇଛି। ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ ରଖିଛି ଜିଲ୍ଲା କଂଗ୍ରେସ। ଫୁଲବାଣୀ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ହୋଇ ଥ‌ିବା ପ୍ରତିଭା କହଁରଙ୍କ ଆଦିବାସୀ ମାନ୍ୟତାକୁ ନେଇ କୁଇ ସମାଜ ଉଠାଉଥିବା ପ୍ରସଙ୍ଗ ଉପରେ କଂଗ୍ରେସ ଜିଲ୍ଲା ସଭାପତି ତଥା ଆଇନଜୀବୀ ଚନ୍ଦ୍ର ଶେଖର ପରିଡା କହିଛନ୍ତି ଯେ ଦଳ ପକ୍ଷରୁ ସମସ୍ତ ପ୍ରକାର ଯାଞ୍ଚ ପରେ ତାଙ୍କୁ ଟିକଟ ଦିଆଯାଇଛି । ଏଥି ସହିତ କଂଗ୍ରେସ ପ୍ରାର୍ଥୀନୀ ପ୍ରତିଭା କହଁର ମଧ୍ଯ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତ କିଛି ଦିନ ଧରି କିଛି ନିର୍ଦ୍ଦିଷ୍ଟ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ଦ୍ବାରା ମୋ ସମ୍ପର୍କରେ ଭ୍ରମାତ୍ମକ ତ‌ଥ୍ୟ ଉପସ୍ଥାପନ କରି ଲୋକଙ୍କ ଭିତରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଉଥିବା ମୋ ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ସେ କହିବାକୁ ଚାହାଁନ୍ତି ସାମାଜିକ ଏବଂ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସେ ଜଣେ ଆଦିବାସୀ ମହିଳା। ଗତ ପଞ୍ଚାୟତ ନିର୍ବାଚନରେ ସେ କଟ୍ରିଙ୍ଗିଆ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଛନ୍ତି । ଏହା ମୋର ଆଦିବାସୀ ପରିଚୟର ପ୍ରମାଣ ଏବଂ ଆଦିବାସୀ ଭାଇ ଭଉଣୀ ମାନଙ୍କ ମୋ ପ୍ରତି ଥିବା ସ୍ୱୀକୃତିର ପରିଚୟ l ବର୍ତ୍ତମାନ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି I ଏହା ତାଙ୍କର ଆତ୍ମସମ୍ମାନ ଏବଂ ସାମ୍ବିଧାନିକ ଅଧିକାର ପ୍ରତି ଏକ କୁଠାରାଘାତ ବୋଲି ସେ ମନେ କରୁଛନ୍ତି ବୋଲି କହିଥିଲେ ।ଏଥି ସହିତ ପ୍ରାର୍ଥିନୀ ପ୍ରତିଭାଙ୍କ ବାପା ମଧ୍ଯ କୁଇ ସମାଜର ଜଣେ କର୍ମକର୍ତ୍ତା ଏବଂ ସମାଜର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ତେଣୁ ସମାଜ ପ୍ରତିଭାଙ୍କୁ ବିରୋଧ କଥା କରିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କୁହାଯାଇଛି। ଏହା କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଏକ ସୁପରିକଳ୍ପିତ ଷଡଯନ୍ତ୍ର ବୋଲି କହିଛନ୍ତି ପ୍ରାର୍ଥୀ ପ୍ରତିଭା । ସମାଜର ଅଧିକାଂଶ କର୍ମକର୍ତ୍ତାଙ୍କ ତାଙ୍କ ପ୍ରତି ସମର୍ଥନ ରହିଥ‌ିବା ସେ ପ୍ରକାଶ କରିଛନ୍ତି । ଏଭଳି ଉଦ୍ୟମ ପଛରେ ସେମାନଙ୍କର ହୀନ ରାଜନୈତିକ ଉଦ୍ଦେଶ୍ୟ ଥିବା ମଧ୍ଯ ସେ ଅନୁଭବ କରିଛନ୍ତି । ତେଣୁ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ, ବିଶେଷ କରି ଆଦିବାସୀ ଭାଇ ଭଉଣୀ ମାନଙ୍କୁ ଏହି ମୁଷ୍ଟିମେୟ ଗୋଷ୍ଠୀର ବିଭ୍ରାନ୍ତିକର ତ‌ଥ୍ୟରେ ବିଶ୍ବାସ ନ କରିବା ପାଇଁ ଅନୁରୋଧ କରିଛନ୍ତି l ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ବସନ୍ତ କୁମାର ପାଢ଼ୀ, ବରିଷ୍ଠ ନେତା ହେମନ୍ତ କର, ବରିଷ୍ଠ ଆଇନଜୀବୀ ରଜତ ମହାନ୍ତି, ଶ୍ରମିକ ନେତା ଘନକୁମାର ଶବର, ସୁଡ଼ୁକୁମ୍ପା ସରପଞ୍ଚ ଦଶରଥ ଜାନୀ, ସମିତି ସଭ୍ୟ ଦୟନ୍ତୀ ଜାନୀ, ଖଜୁରୀପଡା ବ୍ଲକ ସଭାପତି ସ୍ଵାଧୀନ ବେହେରା, କୁଇ ସମାଜ ନେତା ଭଞ୍ଜଦେବ କହଁର, ଗଜେନ୍ଦ୍ର କହଁର, ମାନଭଞ୍ଜ କହଁର, ଭୀମସେନ କହଁର ଭରତ କହଁର ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.