ରୋକ୍‌ଠୋକ୍‌ ଶୁଣାଇଦେଲେ ଗାଁ ଲୋକ; ଆମେ ଭୋଟ୍‌ ଦେବୁନି

add-all

କେନ୍ଦୁଝର : ଆଉ ୭ ଦିନ ପରେ ହେବ ଭୋଟ୍‌ ଗ୍ରହଣ। ତା’ପୂର୍ବରୁ ଚରମ ନିଷ୍ପତ୍ତି ନେଲେ ଗାଁ ଲୋକେ। ରୋକ୍‌ଠୋକ୍‌ ଶୁଣାଇଦେଲେ। ଆଗାମୀ ନିର୍ବାଚନରେ ଆମେ ଭୋଟ୍‌ ଦେବୁନୁ। ଗାଁରେ ଥିବା ମୈଳିକ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଭୋଟ୍‌ ଦେବୁନୁ ବୋଲି ବୈଠକ କରି ଲୋକମାନେ ନିଷ୍ପତ୍ତି ନେଇଛନ୍ତି। ଏପରି ଅଭିଯୋଗ ଆସିଛି ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ୍‌ ଅଞ୍ଚଳରୁ।
ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ରାଶୋଳ ପଞ୍ଚାୟତ ଆଲତୁମା, ପଞ୍ଚମ ଓ ଖସାପଦା ଗାଁରେ ୪୫୦୦ରୁ ଅଧିକ ଭୋଟ୍‌ର ରହିଛନ୍ତି। ସମସ୍ତେ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର। ଏମାନେ ସାଧାରଣଃ ଚାଷବାସ ଓ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକି ପରିବାର ପ୍ରତିପୋଷଣ କରନ୍ତି। ହେଲେ ଦୁଃଖର ବିଷୟ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ନାହିଁ। ଯେଉଁଥିପାଇଁ ଲୋକମାନେ ଯିବା ଆସିବାରେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ଗାଁର ଗର୍ଭବତୀ ଓ ରୋଗୀଣା ବ୍ୟକ୍ତି। ଗାଁକୁ ଆମ୍ୱୁଲାନ୍ସ ଆସିପାରୁନଥିବାରୁ ରୋଗୀଙ୍କୁ ଖଟିଆରେ ବୁହା ହେଉଛନ୍ତି।
ଗାଁର ସର୍ବନିମ୍ନ ମୌଳିକ ସୁବିଧା ଯେମିତି ବିଜୁଳି ଓ ପାନୀୟ ଜଳର ସୁବିଧା ନାହିଁ। ଯେଉଁଥିପାଇଁ ଲୋକମାନେ ଏବେ ମଧ୍ୟ ଡିବିରି ଆଲୁଅ ଭରସାରେ ନୂଆଁଣିଆ ଚାଳଘରେ ଜୀବନ ଅତିବାହିତ କରୁଛନ୍ତି। ପାନୀୟ ଜଳ ପାଇଁ ଗାଁ ଲୋକେ ନାଳ ପାଣି ପିଉଛନ୍ତି। ଅଙ୍ଗନବାଡ଼ି ବା ସ୍କୁଲ କଥା ନକହିବା ଭଲ। ଗାଁରେ ସ୍କୁଲ ନଥିବାରୁ ପିଲାମାନେ ପାଠ ପଢ଼ୁନାହାନ୍ତି। ରାତି ପାହିଲେ ଗାଁ ଦାଣ୍ଡରେ ପିଲାମାନେ ଖେଳୁଛନ୍ତି। ଗାଁର ଏହି ସମସ୍ୟା ନେଇ ଅନେକ ବାର ଲୋକମାନେ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ କେତେ କ’ଣ ଅଭିଯୋଗ କରିଛନ୍ତି। ହେଲେ ଗାଁ ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି।
ଏବେ ଦେଶରେ ନିର୍ବାଚନ ଋତୁ ଚାଲିଛି। ଆସନ୍ତା ୨୫ ତାରିଖରେ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ତା’ ଅନ୍ତର୍ଗତ ବିଧାନସଭାରେ ମତଦାନ ହେବ। ସେଥିପାଇଁ ପ୍ରଚାର ଜୋରଦାର ଚାଲିଛି। ନିଜ ନିଜ ସପକ୍ଷରେ ମତଦାନକୁ ନେବା ପାଇଁ ପ୍ରାର୍ଥୀମାନେ ଦିନରାତି ଏକ କରିଦେଇଛନ୍ତି। ହେଲେ ସେପାଖରେ ଭୋଟ୍‌ ବର୍ଜନ ପାଇଁ ରାଶୋଳ ପଞ୍ଚାୟତର ୩ ଗାଁର ଲୋକମାନେ ନିଷ୍ପତ୍ତି ନେଇଛନ୍ତି। ଆଜକୁ ଦୁଇ ଦିନ ତଳେ ଗାଁ ମୁଣ୍ଡ ବରଗଛ ମୂଳରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ। ଗାଁ ଲୋକେ ବୈଠକକୁ ସରପଞ୍ଚ ବାସନ୍ତୀ ମୁର୍ମୁଙ୍କୁ ଡାକିଥିଲେ। ବାସନ୍ତୀ ଆସିବା ପରେ ଗାଁ ଲୋକେ ସମସ୍ୟାର ଲମ୍ୱା ତାଲିକା ଦେଇଥିଲେ। ସରପଞ୍ଚ ମଧ୍ୟ ଅସହାୟତା ପ୍ରକାଶ କରିଥିଲେ। ସେ ଗାଁ ଲୋକଙ୍କ ସମସ୍ୟା ନେଇ ବାରମ୍ୱାର ପ୍ରଶାସନ ପାଖରେ ଗୁହାରୀ କରିଥିଲେ। ତା’ ପରେ ମଧ୍ୟ ସେ ନିରାଶ ହୋଇଥିବା କହିଛନ୍ତି।
ବହୁ ଆଲୋଚନା ପରେ ଗାଁ ଲୋକେ ଚରମ ନିଷ୍ପତ୍ତି ନେଲେ। ଆସନ୍ତା ୨୫ ତାରିଖରେ ହେବାକୁ ଥିବା ମତଦାନରେ ଭାଗ ନେବେ ନାହିଁ। ଅର୍ଥାତ ଭୋଟ୍‌ ବର୍ଜନ କରିବେ ବୋଲି ଗାଁ ଲୋକେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।
ଗାଁର କଲ୍ୟାଣୀ ଦେହୁରୀ କହିଛନ୍ତି, ଆମ ଗାଁକୁ ଯିବା ପାଇଁ ରାସ୍ତା ନାହିଁ। ଲୋକମାନେ ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚି ପାରିଲା ନାହିଁ ବିଜୁଳି। ତେଣୁ ଆମେ ଅନ୍ଧକାରରେ ରହିଛୁ। ସ୍କୁଲ ନଥିବାରୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। ଆମ ଗାଁର ସମସ୍ୟା ସମାଧାନ ହେଉନଥିବାରୁ ଆଗାମୀ ନିର୍ବାଚନରେ ଭୋଟ୍‌ ଦେବୁନୁ। ଆଗେ ଗାଁକୁ ରାସ୍ତା ଓ ବିଜୁଳି ଆସୁ, ତା’ପରେ ଆମେ ଭୋଟ୍‌ ଦେବୁ ବୋଲି କଲ୍ୟାଣୀ କହିଛନ୍ତି।
ରାଶୋଳ ସରପଞ୍ଚର ବାସନ୍ତୀ ମୁର୍ମୁ କହିଛନ୍ତି, ରାଶୋଳଠାରୁ ଆଳୁତୁମ ପର୍ଯ୍ୟନ୍ତ ରାସ୍ତା ନୟଦୀୟ ହୋଇଛି। ଗାଁକୁ ବିଜୁଳି ଆସିନି। ଏନେଇ ବିଡିଓ, ଜିଲ୍ଲାପାଳ ଓ 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ସାରଙ୍କୁ ଜଣାଇଛୁ। ଏପରିକି ବିଧାୟକଙ୍କୁ ମଧ୍ୟ ଜଣାଇଛୁ। ସେମାନେ କେବଳ ପ୍ରତିଶ୍ରୁତି ଦେଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଗାଁର ସମସ୍ୟା ସମାଧାନ ହୋଇନି। ତେଣୁ ଗାଁ ଲୋକେ ଭୋଟ୍‌ ବର୍ଜନ କରିବେ ବୋଲି କହୁଥିବା ବାସନ୍ତୀ କହିଛନ୍ତି।
ସୂଚନାରୁ ପ୍ରକାଶ, ଦିନେ ପାହାଡ଼ ଜଙ୍ଗଲ ଘେରା ଏହି ଉପେକ୍ଷିତ ଅଂଚଳ ଏକଦା ନକ୍ସଲ ପ୍ରବଣ ଥିଲା। ପରବର୍ତ୍ତୀ ସମୟରେ ବଦଳିଥିଲାଚିତ୍ର। ହିଂସାର ପଥର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହୋଇଛନ୍ତି ଗାଁ ଲୋକେ। ହେଲେ ଆଜି ପର୍ଯ୍ୟନ୍ତ ବଦଳିଲାନି ଗାଁର ଚିତ୍ର। ଏଠି ବାସ କରୁଥିବା ଲୋକଙ୍କୁ ୪ ମାସରେ ଥରେ ରାସନ ମିଳୁଥିବା ଅଭିଯୋଗ ହେଉଛି।

ad-week
Leave A Reply

Your email address will not be published.