NEET ପରୀକ୍ଷାରେ ଅନିୟମିତତା: ଦେଶବ୍ୟାପୀ ୨ ଦିନିଆ ଆନ୍ଦୋଳନ ଡାକରା ଦେଲେ ଛାତ୍ର ସଂଗଠନ

add-all

ନୂଆଦିଲ୍ଲୀ : ମେଡିକାଲ ପାଠ୍ୟକ୍ରମରେ ନାଁ ଲେ ଖାଇବା ପାଇଁ ଅନୁଷ୍ଠିତ ନିଟ୍‌ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏପରି ଅଭିଯୋଗ ଆଣି ବାମପନ୍ଥୀ ଛାତ୍ର ସଂଗଠନ ପକ୍ଷରୁ ଦେଶବ୍ୟାପୀ ଦୁଇ ଦିନିଆ ଆନ୍ଦୋଳନ ଡାକରା ଦିଆଯାଇଛି।
ସର୍ବଭାରତୀୟ ଛାତ୍ର ମହାସଂଘ(ଏଆଇଏସ୍‌ଏ) ପକ୍ଷରୁ ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ନିଟ ପରୀକ୍ଷା ଆୟୋଜନ କରୁଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)ର ଅପରାଗତ ବିରୋଧରେ ଏଆଇଏସଏ ବିକ୍ଷୋଭ କରିବ।
ସଂଗଠନର ସାଧାରଣ ସମ୍ପାଦକ(ଦିଲ୍ଲୀ) ନେହା ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂରା ପ୍ରସଙ୍ଗରେ କେବଳ ନୀରବତା ଅବଲମ୍ବନ କରୁଛନ୍ତି। ଅନିୟମିତତା ଯୋଗୁ ଶିକ୍ଷାର୍ଥୀ ଓ ସେମାନଙ୍କ ପରିବାର ଲୋକ କେମିତି ସମସ୍ୟା ଭୋଗୁଛନ୍ତି, ସେକଥା ମଧ୍ୟ ସେ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ପ୍ରେସ କନଫରେନ୍ସରେ ନିଟ ଆଶାୟୀ ଓ ଶିକ୍ଷାର୍ଥୀମାନେ ସେମାନଙ୍କର ଚିନ୍ତା ବ୍ୟକ୍ତ କରିଛନ୍ତି।
ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଧନଞ୍ଜୟ ଏନଟିଏର ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି। ଏଆଇଏସ୍‌ ନିଟ ୨୦୨୪ ପରୀକ୍ଷା ପୁଣି କରିବାକୁ ଦାବି କରିଛି। ଏଥିସହ ପରୀକ୍ଷାରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ ଏନଟିଏକୁ ଭଙ୍ଗ କରିବାକୁ ମଧ୍ୟ ସଂଘ ଦାବି କରିଛି। ଏହାବାଦ ଦୁଇ ଦିନିଆ ଆନ୍ଦୋଳନରେ ସମସ୍ତ ଶିକ୍ଷାର୍ଥୀମାନେ ସାମିଲ ହୁଅନ୍ତୁ ବୋଲି ଆହ୍ୱାନ ଦେଇଛି।
ଅନ୍ୟପକ୍ଷରେ ୨୦ ଜଣ ଶିକ୍ଷାର୍ଥୀ ମିଳିତ ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିଟ-ୟୁଜି ୨୦୨୪ ପରୀକ୍ଷାକୁ ବାତିଲ କରିବାକୁ ନିବେଦନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଅନ୍ୟ ସ୍ୱାଧୀନ ଏଜେନ୍ସି ଦ୍ୱାରା ଅନିୟମିତତାର ତଦନ୍ତ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ନିଟର ଅନେକ ଆଶାୟୀ ଅଭିଯୋଗ କରିଛନ୍ତି ଯେ ମାର୍କ ଦେବାରେ ହେରଫେର କରାଯାଇଛି। ଏଥିପାଇଁ ହରିୟାଣାର ସମାନ ୬ଟି କେନ୍ଦ୍ରର ୬୭ ଜଣ ପିଲା ରାଙ୍କ ୧ରେ ରହିଛନ୍ତି। ସେମାନଙ୍କ ମାର୍କ ମଧ୍ୟ ସମାନ। ଏପରି ହେରଫେର ଯୋଗୁ ଯୋଗ୍ୟ ଆଶାୟୀମାନେ ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିବା ପରେ ବିବାଦ ବଢ଼ିଛି।
ବିବାଦ ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଗ୍ରେସ୍‌ ମାର୍କ ରଦ୍ଦ କରିବାକୁ NTA ନିଷ୍ପତ୍ତି ନେଇଛି। ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼ିବ। ଏଥିପାଇଁ NTA ବିକଳ୍ପ ଦେଇଛି।
ବର୍ତ୍ତମାନ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ। ତାଙ୍କର ସ୍କୋର କାର୍ଡ ବାତିଲ କରାଯାଇଛି। ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ ଏଜେନ୍ସି କହିଛି।

ad-week
Leave A Reply

Your email address will not be published.