ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୨୭ ପଦକ 

add-all

ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା (ଜୋନ୍ ଏ) ଉଦଯାପିତ ହୋଇଯାଇଛି। କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା।

ଯୁବ ବର୍ଗରେ ଓଡ଼ିଶା ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ପାଇଥିଲା ବେଳେ କନିଷ୍ଠ ବର୍ଗରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଛି । ସେହିପରି ବରିଷ୍ଠ ବର୍ଗରେ ୪ଟି ସ୍ୱର୍ଣ୍ଣ, ୨ ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ଜିତିବାର ସକ୍ଷମ ହୋଇଛି । ଯୁବ ବର୍ଗରେ ଝାଡ଼ଖଣ୍ଡ, କନିଷ୍ଠ ବର୍ଗରେ ବିହାର ଏବଂ ବରିଷ୍ଠ ବର୍ଗରେ ଛତିଶଗଡ଼ ରନର୍ସ-ଅପ୍ ହୋଇଛି ।

ଓଡ଼ିଶାର ଜ୍ୟୋସ୍ନା ସବର (୪୦ କିଲୋଗ୍ରାମ) ଯୁବ ବର୍ଗରେ ଶ୍ରେଷ୍ଠ ଭାରୋତ୍ତଳିକା, କନିଷ୍ଠ ବର୍ଗରେ ଓଡ଼ିଶାର ମୀନା ସାନ୍ତା (୫୫ କିଲୋଗ୍ରାମ) ଶ୍ରେଷ୍ଠ ଭାରୋତ୍ତୋଳିକା ହୋଇଥିଲାବେଳେ ବରିଷ୍ଠ ମହିଳା ବର୍ଗରେ ଛତିଶଗଡ଼ର ଜ୍ଞାନେଶ୍ୱରୀ ଯାଦବ (୪୯ କିଲୋଗ୍ରାମ) ଶ୍ରେଷ୍ଠ ଭାରୋତ୍ତୋଳିକା ଆଖ୍ୟା ଅର୍ଜନ କରି ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ ହୋଇଥିଲେ।

ଉଦଯାପନୀ ସମାରୋହରେ କ୍ରୀଡ଼ା ଏବଂ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରିବା ସହିତ କ୍ରୀଡ଼ାବିତମାନଙ୍କର କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବର ଉଚ୍ଚ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ରାଜ୍ୟର ଭାରୋତ୍ତୋଳିକାମାନେ ପ୍ରତ୍ୟେକ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ଏବଂ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଶ୍ରୀ ଜେନା ଆଶାବ୍ୟକ୍ତ କରିଥିଲେ ।

ଓଡ଼ିଶା ସରକାର ଭାରୋତ୍ତୋଳନର ଉନ୍ନତି ପାଇଁ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାର ସୁଫଳ ଏହି ପ୍ରତିଯୋଗିତାରେ ପ୍ରତିଫଳିତ ହୋଇଛି। ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ ଓଡିଶାର ପଦାଙ୍କ ଅନୁସରଣ କରନ୍ତୁ ବୋଲି ଭାରତୀୟ ଭାରୋତ୍ତୋଳନ ଫେଡେରେସନର ସାଧାରଣ ସମ୍ପାଦକ ଆନନ୍ଦ ଗୋୱଡା ପ୍ରକାଶ କରିଛନ୍ତି।

ତେବେ ଉଦଯାପନୀ ଉତ୍ସବରେ ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ, ସାଧାରଣ ସମ୍ପାଦକ ଅଲମ୍ପିଆନ୍ କେ. ରବି କୁମାର ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.