ହରିୟାଣା ପାଇଁ ଆପ୍‌ର ଗ୍ୟାରେଣ୍ଟୀ: ମିଳିବ ମାଗଣା ବିଜୁଳି, ମହିଳା ପାଇବେ ହଜାରେ ଟଙ୍କା

add-all

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବରରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆପ୍‌ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ଗ୍ୟାରେଣ୍ଟୀ କାର୍ଡ ଜାରି କରିଛି।
ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା ଆପ୍‌ର କମାଣ ସମ୍ଭାଳିବା ସହ ହରିୟାଣାବାସୀଙ୍କ ପାଇଁ ‘କେଜ୍ରିୱାଲ କି ଗ୍ୟାରେଣ୍ଟୀ’ କାର୍ଡ ଜାରି କରିଛନ୍ତି। ଗ୍ୟାରେଣ୍ଟୀ କାର୍ଡ ଜାରି କରି ଆପ୍‌ ବିଧିବଦ୍ଧ ଭାବେ ହରିୟାଣାରେ ପ୍ରଚାର ଆରମ୍ଭ କରିଛି।
ଆପ୍‌ ରାଜ୍ୟରେ କ୍ଷମତା ଦଖଲ କଲେ ଲୋକଙ୍କୁ ମାଗଣାରେ ୨୪ ଘଣ୍ଟା ବିଜୁଳି ଦେବ। ସମସ୍ତେ ମାଗଣା ଚିକିତ୍ସା ସୁବିଧା ପାଇବେ। ଉତ୍ତମ ଗୁଣବତ୍ତାର ମାଗଣା ଶିକ୍ଷା ପିଲାମାନଙ୍କୁ ମିଳିବ। ବେକାର ରହିଥିବା ଯୁବଗୋଷ୍ଠୀଙ୍କୁ ଆପ ସରକାର ନିଯୁକ୍ତି ଦେବ। ଏଥିସହ ରାଜ୍ୟର ମହିଳାମାନଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏ ମିଳିବ ବୋଲି ଆପ କହିଛି।
ପଞ୍ଚକୁଲାରେ ଆୟୋଜିତ ସଭାରେ ସୁନିତାଙ୍କ ସହ ଆପ ନେତା ସଞ୍ଜୟ ସିଂହ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ନ ଏପରି ଘୋଷଣା କରିଛନ୍ତି।
ପଞ୍ଚକୁଲା ସଭାକୁ ସମ୍ବୋଧନ କରି ସୁନିତା କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଦିଲ୍ଲୀ ଓ ପଞ୍ଜାବରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ଦିଲ୍ଲୀରେ ମହଲା କ୍ଲିନିକ ଓ ସରକାର ସ୍କୁଲର ବିକାଶ କରାଯାଇଛି।
ଅରବିନ୍ଦ କେଜ୍ରିୱାଲ ହରିୟାଣାର ହିର୍ସାରେ ବଡ଼ ହୋଇଛନ୍ତି। କେହି କେବେ ଭାବି ନଥିଲେ ଯେ ଏଠାକାର ପିଲା ଦିନେ ଦେଶର ରାଜଧାନୀରେ ଶାସନ କରିବ। ଏହା ଆଦୌ ଛୋଟ କଥା ନୁହେଁ। ଏହା କୌଣସି ଚମତ୍କାରିତା ଠାରୁ କମ ନୁହେଁ।
ମୁଁ ଭାବୁଛି ଯେ ସେ କିଛି ବଡ଼ କାମ କରନ୍ତୁ ବୋଲି ଭଗବାନ ଚାହୁଁଛନ୍ତି। ଅରବିନ୍ଦ କେଜ୍ରିୱାଲ ଶୂନରୁ ସବୁ କିଛି ଆରମ୍ଭ କରି ନିଜସ୍ୱ ପାର୍ଟି ତିଆରି କରିଛନ୍ତି। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ବଡ଼ବଡ଼ ନେତା ଯାହା କରିପାରି ନଥିଲେ, ସେ କରି ଦେଖାଇଛନ୍ତି। ପୂରା ଦେଶର ଲୋକ କେଜ୍ରିୱାଲଙ୍କୁ ତାଙ୍କ କାମ ପାଇଁ ଚିହ୍ନିଛନ୍ତି ବୋଲି ସୁନିତା କହିଛନ୍ତି।
ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ ଗିରଫ ହୋଇ ଏବେ ତିହାର ଜେଲରେ ରହିଛନ୍ତି। କେଜ୍ରିୱାଲ ତିହାର ଜେଲରେ ଥିବାରୁ ସୁନିତା ଏବେ ଆପର ମଙ୍ଗ ସମ୍ଭାଳିଛନ୍ତି।

ad-week
Leave A Reply

Your email address will not be published.