ସଂସଦରେ ରାହୁଲ ଗାନ୍ଧିଙ୍କୁ ଭେଟିଲେ, ଦିଲ୍ଲୀ ଚଲୋ ଡାକରା ଦେଲେ ଚାଷୀ

add-all

ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରୁଥିବା ଚାଷୀମାନଙ୍କ ଗୋଟିଏ ପ୍ରତିନିଧି ମଣ୍ଡଳୀ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସଂସଦ କମ୍ପ୍ଲେକ୍ସ ମଧ୍ୟରେ ଭେଟିଛନ୍ତି। ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ସେମାନେ ଦିଲ୍ଲୀ ଅଭିମୁଖେ ପୁଣି ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। 

ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଓ କର୍ଣ୍ଣାଟକାରୁ ଆସିଥିବା ୧୨ ଜଣ ଚାଷୀ ନେତାଙ୍କ ସହ ରାହୁଲ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ସେମାନଙ୍କ ସମସ୍ୟାକୁ ସେ ସଂସଦରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

ଚାଷୀଙ୍କୁ ରାହୁଲ ଗାନ୍ଧି ଭେଟିବା ସମୟରେ କେସି ଭେନୁଗୋପାଲ, ଦୀପେନ୍ଦର ସିଂହ ହୁଡା, ଅମରିନ୍ଦର ସିଂହ ରାଜା ୱାରିଂ ଓ ସୁଖଜିନ୍ଦର ସିଂହ ରନ୍ଧୱା ପ୍ରମୁଖ ଉପସ୍ଥିତ ରହିଥିଲେ।

ତେବେ ବୈଠକ ପୂର୍ବରୁ କିଛି ସମୟ ପାଇଁ ଦ୍ୱନ୍ଦ୍ୱ ଦେଖାଯାଇଥିଲା। କାରଣ ଚାଷୀମାନଙ୍କୁ ସଂସଦ କମ୍ପ୍ଲେକ୍ସ ମଧ୍ୟକୁ ସୁରକ୍ଷାକର୍ମୀଙ୍କୁ ଛାଡ଼ି ନଥିଲେ। ରାହୁଲ ଗାନ୍ଧି ଏହା ଉପରେ କହିଛନ୍ତି, “ଆମେ ସେମାନଙ୍କୁ ନିମନ୍ତ୍ରଣ କରିଥିଲୁ। କିନ୍ତୁ ସେମାନଙ୍କୁ ସଂସଦ ପରିସର ଭିତରକୁ ଆସିବାକୁ ଅନୁମତି ମିଳି ନଥିଲା। ସେମାନେ ଚାଷୀ। ସମ୍ଭବତଃ ଏହି କାରଣ ପାଇଁ ସେମାନଙ୍କୁ ପ୍ରବେଶ ଅନୁମତି ମିଳି ନଥିଲା। ଆପଣମାନେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ପଚାରି ପାରନ୍ତି।”

ବୈଠକ ସମୟରେ ରାହୁଲ ଗାନ୍ଧି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସଂସଦରେ ସେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଉଠାଇବେ। ସେହିପରି ଚାଷୀମାନେ ମଧ୍ୟ ପୁଣିଥରେ ଦିଲ୍ଲୀ ଚାଲୋ ଡାକରା ଦେଇଛନ୍ତି।

ଏ ସମ୍ପର୍କରେ ବୈଠକରେ ଉପସ୍ଥିତ ଥିବା ୱାରିଂ କହିଛନ୍ତି, “ଲୋକସଭାରେ ରାହୁଲ ଗାନ୍ଧି ଚାଷୀଙ୍କ ସ୍ୱର ଉଠାଇବେ। ଦିଲ୍ଲୀ ଆସିବା ଓ ବିକ୍ଷୋଭ କରିବା ପାଇଁ ଚାଷୀମାନଙ୍କରେ ଅଧିକାର ରହିଛି। ଯଦି ଦରକାର ପଡ଼ିବ, ତା’ହେଲେ କଂଗ୍ରେସ ପକ୍ଷରୁ ଚାଷୀଙ୍କ ପାଇଁ ଗୋଟିଏ ପ୍ରାଇଭେଟ ବିଲ୍‌ ମଧ୍ୟ ଆଗତ କରାଯିବ।”

ଚାଷୀ ନେତା ଜଗଜିତ ସିଂହ ଡାଲ୍ଲେୱାଲ କହିଛନ୍ତି, “ଏଯାଏ ସରକାର ନିଜର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ସ୍ୱାମୀନାଥନ ରିପୋର୍ଟ ଲାଗୁ ହେବା ଜରୁରୀ। ଆମେ ଦିଲ୍ଲୀ ଅଭିମୁଖେ ଆମର ଶୋଭାଯାତ୍ରା ଜାରି ରଖିବୁ।”

ad-week
Leave A Reply

Your email address will not be published.