ଶ୍ରାବଣ ମାସର ଶେଷ ସୋମବାର ବାବା ଧବଳେଶ୍ୱରଙ୍କ ପୀଠରେ ଅସମ୍ଭବ ଭିଡ଼

କଟକ : ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ଏହି ଦିନ ବାବା ଧବଳେଶ୍ୱରଙ୍କ ଉପରେ ଜଳଲାଗି ନିମନ୍ତେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି। ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ରାତ୍ର ଚାରିଟାରେ ମନ୍ଦିରର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଥିଲା । ଏହାପରେ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆମାନେ ଜଳଲାଗି କରିଥିଲେ ।
ଆଜି ଶେଷ ସୋମବାର ଓ ପୂର୍ଣ୍ଣିମା ପଡିଥିବାରୁ ସ୍ୱତନ୍ତ୍ର ମହାକାଳ ବେଶରେ ବାବା ଧବଳେଶ୍ୱର ଦର୍ଶନ ଦେଉଛନ୍ତି। ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ ।
ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ଭିଡକୁ ଦୃଷ୍ଟିରେ ରଖି ପୀଠ ମଧ୍ୟକୁ ବାହୁଙ୍ଗିକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି। କଂକ୍ରିଟ ସେତୁ ପୂର୍ବରୁ କାଉଡିଆମାନେ ବାହୁଙ୍ଗି ରଖି କେବଳ ଜଳ କଳଷ ଧରି ପୀଠ ଭିତରକୁ ପ୍ରବେଶ କରିଛନ୍ତି। ଏହାପରେ ସେମାନେ ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି ।
ଚଳିତ ବର୍ଷ ପୂଜକ ସମିତି ଏବଂ ପ୍ରଶାସନ ପକ୍ଷରୁ କାଉଡ଼ିଆ ଆଣୁଥିବା ପ୍ଲାଷ୍ଟିକ କଳସିକୁ ପୀଠ ମଧ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କେବଳ ମାଟି କିମ୍ବା ପିତଳ କିମ୍ବା ତମ୍ବା କଳସରେ ଜଳ ଆଣିବା ପାଇଁ ଆବେଦନ କରାଯାଇଛି। ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି ।

ad-week
Leave A Reply

Your email address will not be published.