ସାଉଦି ଆରବରେ ପାଳିତ ହେଲା ’ଉତ୍କଳିକା’ର ବାର୍ଷିକ ଉତ୍ସବ, ପ୍ରବାସ ମାଟିରେ ଝଲସିଲା ଓଡ଼ିଆ କଳା ଓ ସଂସ୍କୃତି

kalipuja

ସାଉଦି ଆରବ: ପ୍ରବାସ ମାଟିରେ ଓଡ଼ିଆ ଭାଷା, କଳା, ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବା ସହ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଏକତା, ଭାଇଚାରା ଓ ପାରିବାରିକ ବନ୍ଧନକୁ ଆହୁରି ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ସାଉଦି ଆରବର ଓଡ଼ିଆ ସଂଗଠନ ‘ଉତ୍କଳିକା’ ର ବାର୍ଷିକ ଉତ୍ସବ ୨୭ ନଭେମ୍ବରରେ ଉତ୍କଳୀୟ ଭାବନାର ଏକ ମନୋରମ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।

ଉତ୍ସବରେ ଗିରିଜା ନନ୍ଦନ ପଣ୍ଡା ମୁଖ୍ୟ ଅତିଥି ଏବଂ  ଫିରୋଜ ଖାନ୍ ,  ଅନିଲ ମାଲପାଣି ସମ୍ମାନିତ ଅତିଥି ଭାବେ ସମାରୋହର ଯୋଗ ଦେଇଥିଲେ। ରିୟାଦସ୍ଥିତ ଓଡ଼ିଆ ସମୁଦାୟ ROSA ଏବଂ ଦମ୍ମାମସ୍ଥିତ Kalinganର ଅତିଥି ଓ ପ୍ରତିନିଧିମାନଙ୍କ ଉପସ୍ଥିତି ସାଉଦି ଆରବର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଓଡ଼ିଆମାନଙ୍କ ମଧ୍ୟରେ ଏକତା ଓ ସୌହାର୍ଦ୍ଦର ବାର୍ତ୍ତାକୁ ଆହୁରି ମଜବୁତ କରିଥିଲା।

ପ୍ୟାରୀମୋହନ ସଭାର ଶୁଭାରମ୍ଭ କରିଥିଲେ।  ଏହାପରେ ପାରମ୍ପରିକ ଦୀପ ପ୍ରଜ୍ୱଳନ  ଏବଂ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ସହ ସାଂସ୍କୃତିକ ସମାରୋହର ଶୁଭାରମ୍ଭ ହୋଇଥିଲା। ଉତ୍କଳିକାର ବରିଷ୍ଠ ସଦସ୍ୟ ଉମାକାନ୍ତ ପାଢ଼ୀ ,  ଜୟନ୍ତ ମହାପାତ୍ର, ମହେଶ୍ୱର ଜେନା ଓ ସରୋଜ କୁମାର ପାତ୍ରଙ୍କ ସମେତ ବହୁ ସଦସ୍ୟ ଓ ପରିବାରବର୍ଗ ଉତ୍ସବରେ ଯୋଗଦେଇଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଏବଂ  ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା।  ସେହିପରି କୁନି  ଓ ବଡ଼ ପିଲାମାନଙ୍କ ନୃତ୍ୟ ପରିବେଷଣ, ଦମ୍ପତି ନୃତ୍ୟ ଆଦି କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା। ପ୍ରବାସରେ ବଢ଼ୁଥିବା ନୂତନ ପିଢ଼ିର ପିଲାମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ସମସ୍ତଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥିଲା।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଗ୍ଲୋବାଲ୍ ଫ୍ୟାଶନ୍ ଶୋ। ବିଭିନ୍ନ ଦେଶ ଓ ସଂସ୍କୃତିର ଝଲକ ଦର୍ଶାଉଥିବା ଏହି ଫ୍ୟାଶନ୍ ଶୋ ବିଶ୍ୱ ଭାଇଚାରା, ସହାବସ୍ଥାନ ଓ ‘One World, One Family’ ର ଭାବନାକୁ ସୁନ୍ଦର ଭାବେ ପ୍ରତିଫଳିତ କରିଥିଲା।  ଏହା ସହିତ ପ୍ରସିଦ୍ଧ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଲାଇଭ୍ ବ୍ୟାଣ୍ଡ ସଙ୍ଗୀତ ସମଗ୍ର ପରିବେଶକୁ ସଙ୍ଗୀତମୟ ଓ ଉତ୍ସବମୁଖର କରିଦେଇଥିଲା ।  ଆକର୍ଷଣୀୟ ରାଫେଲ୍ ଡ୍ର ମଧ୍ୟ ଉପସ୍ଥିତ ସଦସ୍ୟ ଓ ପରିବାରବର୍ଗଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା।

ଉତ୍ସବରେ ଉତ୍କଳିକାର ବାର୍ଷିକ ପତ୍ରିକା ଉନ୍ମୋଚନ ହୋଇଥିଲା ।  ଚିନ୍ମୟ ଲେଙ୍କାଙ୍କ ନେତୃତ୍ୱରେ ତାଙ୍କ ଟିମ୍ ପତ୍ରିକା ପ୍ରସ୍ତୁତ କରିଥିଲେ। ପ୍ରବାସୀ ଓଡ଼ିଆଙ୍କ ସାହିତ୍ୟିକ ପ୍ରତିଭା, ସୃଜନଶୀଳତା, ସ୍ମୃତି ଓ ସାଂସ୍କୃତିକ ଭାବନାକୁ ଏକତ୍ରିତ କରିବାରେ ଏହି ପତ୍ରିକା ଏକ ସୁନ୍ଦର ପ୍ରୟାସ ହୋଇଥିଲା।

ad-week
Leave A Reply

Your email address will not be published.