କମିଶନରେଟ୍ ପୋଲିସ ପକ୍ଷରୁ “ସଣ୍ଡେଜ୍ ଅନ୍ ସାଇକେଲ” ଅଭିଯାନର ୧୦୦ତମ ସଂସ୍କରଣ ପାଳିତ: ଫିଟ୍ ଇଣ୍ଡିଆ ବାର୍ତ୍ତା ଦେଇ ସାଇକେଲ ଚଳାଇଲେ ପୋଲିସ ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଆଜି ଅର୍ଥାତ୍ ତା ୨୯.୧୧.୨୦୨୬ ରିଖ ସକାଳ ୦୬.୩୦ ଘଟିକା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ୟୁନିଟ୍ ଦ୍ୱାରା “ସଣ୍ଡେଜ୍ ଅନ୍ ସାଇକେଲ” (Sundays on Cycle) ଅଭିଯାନର ୧୦୦ତମ ସଂସ୍କରଣ ସଫଳତାର ସହ ଆୟୋଜିତ ହୋଇଯାଇଛି। ‘ଫିଟ୍ ଇଣ୍ଡିଆ’ (Fit India) ପଦକ୍ଷେପ ଅଧୀନରେ ଶାରୀରିକ ସୁସ୍ଥତାକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଅଭିଯାନରେ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଉତ୍ସାହର ସହ ସାଇକେଲ ଚଳାଇ ଅଂଶଗ୍ରହଣ କରିଛନ୍ତି।
ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନର ଡିସିପି (ସୁରକ୍ଷା) ଅଶୋକ କୁମାର ପାଣିଗ୍ରାହୀ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।
