ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କୋଟଗଡ଼ରେ କଂଗ୍ରେସର ପ୍ରସ୍ତୁତି ବୈଠକ: ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ

ବାଲିଗୁଡ଼ା, ୨୯/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ଦଳ ପକ୍ଷରୁ ରାଜନୈତିକ ତତ୍ପରତା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କୋଟଗଡ଼ ବ୍ଲକ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ କୋଟଗଡ଼ ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି।
କୋଟଗଡ଼ ପଞ୍ଚାୟତ ସଭାପତି ତେଜେଶ୍ୱର ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ରଣନୀତି, ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଏକଜୁଟ କରିବା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏଥିସହ ପଞ୍ଚାୟତ ସ୍ତରରେ କଂଗ୍ରେସର ସଂଗଠନକୁ ଅଧିକ ସକ୍ରିୟ କରିବା ସହ ସାଧାରଣ ଲୋକଙ୍କ ସମସ୍ୟା ଓ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ନେଇ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ କୋଟଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ସୁରଦା ପ୍ରଧାନଙ୍କ ସମେତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ କଂଗ୍ରେସ କମିଟିର ବହୁ ସଦସ୍ୟ ତଥା କର୍ମୀ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ ଦଳକୁ ଅଧିକ ସଂଗଠିତ ଓ ମଜବୁତ କରିବା ନେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଏହି ବୈଠକ ମାଧ୍ୟମରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ସଜାଡ଼ିବା ଦିଗରେ ପ୍ରାରମ୍ଭିକ ପଦକ୍ଷେପ ନିଆଯାଇଥିବା ଦଳ ପକ୍ଷରୁ ଜଣାପଡ଼ିଛି।
