ପିଏମଶ୍ରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା: ଆୟୁଷ୍ମାନ ପଣ୍ଡା ପ୍ରଥମ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ୨୦ କୃତୀ ଛାତ୍ରଛାତ୍ରୀ

ନୟାଗଡ଼: ଶକ୍ତିର ସୁବିନିଯୋଗ ଓ ସଂରକ୍ଷଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ସେମାନଙ୍କ ଜ୍ଞାନ ଓ ଦକ୍ଷତାର ବିକାଶ ଲକ୍ଷ୍ୟରେ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା ରବିବାର ନୟାଗଡ଼ସ୍ଥିତ ପିଏମଶ୍ରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା।
ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୟାଗଡ଼ର ଛାତ୍ର ଆୟୁଷ୍ମାନ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ୮୦୦ ଟଙ୍କା ଏବଂ ସେହି ବିଦ୍ୟାଳୟର କୁମାର ଅଶ୍ୱିନୀ ଦ୍ୱିତୀୟ ସ୍ଥାନ ହାସଲ କରି ୭୦୦ ଟଙ୍କା ପୁରସ୍କାର ଲାଭ କରିଥିଲେ। ସେହିପରି ଲାଠିପଡ଼ା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଲକ୍ଷ୍ମୀ ମୁଦୁଲି ତୃତୀୟ ସ୍ଥାନ ଅଧିକାର କରି ୫୦୦ ଟଙ୍କା ପୁରସ୍କାର ପାଇଥିଲେ। ଏହି ଅବସରରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ମୋଟ ୧୬୯ ଜଣ ଛାତ୍ରଛାତ୍ରୀ ଏହି କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ ଜଣ ପ୍ରତିଯୋଗୀ ଆଗାମୀ ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ନୟାଗଡ଼ ବ୍ଲକକୁ ପ୍ରତିନିଧିତ୍ୱ କରିବେ।
ଶେଷରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ନୟାଗଡ଼ ବ୍ଲକ ଶିକ୍ଷାଧିକାରିଣୀ ମୁନରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ଦୈନନ୍ଦିନ ଜୀବନରେ ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିକ୍ଷକ ଲକ୍ଷ୍ମୀଧର ସାହୁ ଓ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଏଥିସହ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ରୋଜାଲିନ ମିଶ୍ର, ସୁନିତା ନାୟକ, ଭବାନୀ କୁମାରୀ ଆଚାର୍ଯ୍ୟ, ଅଶୋକ କୁମାର ମିଶ୍ର, ଉମାକାନ୍ତ ମିଶ୍ର, କାଦମ୍ବିନୀ କରଣ, ଅନସୂୟା ମିଶ୍ର, ସୌଦାମିନୀ ପ୍ରଧାନ, ଇଲାଚା ମାଝୀ, ରାଜକିଶୋର ଟୁଡୁ, ସରିତା ପ୍ରିୟଦର୍ଶିନୀ ସ୍ୱାଇଁ ଓ ସୁନିତାରାଣୀ ମିଶ୍ର ପ୍ରମୁଖ କୁଇଜ୍ ଉତ୍ତରଖାତାଗୁଡ଼ିକର ମୂଲ୍ୟାୟନ କରିଥିଲେ।
