କନ୍ଧମାଳର ଉଚ୍ଚଶିକ୍ଷା ବିକାଶ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଜନପ୍ରତିନିଧି: ବାଲିଗୁଡ଼ା କଲେଜରେ ଏନ୍ସିସି ଓ କ.ନୂଆଗାଁରେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଦାବି

ବାଲିଗୁଡ଼ା, ୨୯/୧୧: କନ୍ଧମାଳ ଜିଲ୍ଲାରେ ଉଚ୍ଚଶିକ୍ଷାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ଉନ୍ନତ ଶିକ୍ଷାର ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ୱରଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରି ଅଞ୍ଚଳର ଶିକ୍ଷା ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ନେଇ ଆଲୋଚନା କରାଯାଇଛି।
ବିଶେଷକରି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଏନ୍ସିସି (NCC) ଶାଖା ଆରମ୍ଭ କରିବା ଏବଂ କ.ନୂଆଗାଁଠାରେ ଏକ ନୂତନ ଡିଗ୍ରୀ କଲେଜ ପ୍ରତିଷ୍ଠା କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ସହ ଏନ୍ସିସି ମାଧ୍ୟମରେ ଶୃଙ୍ଖଳା, ନେତୃତ୍ୱ ଓ ବ୍ୟକ୍ତିତ୍ୱ ବିକାଶର ସୁଯୋଗ ପାଇପାରିବେ।
ଏହି ସାକ୍ଷାତ ଅବସରରେ କନ୍ଧମାଳ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉଚ୍ଚଶିକ୍ଷାର ସୁଯୋଗ ସୀମିତ ଥିବାରୁ ଅନେକ ଛାତ୍ରଛାତ୍ରୀ ଦୂରଦୂରାନ୍ତକୁ ଯାଇ ପାଠପଢ଼ିବାରେ ବିଭିନ୍ନ ଆର୍ଥିକ ଓ ସାମାଜିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ତେଣୁ ସ୍ଥାନୀୟ ସ୍ତରରେ ଶିକ୍ଷାନୁଷ୍ଠାନର ବିକାଶ ଓ ନୂତନ ଶିକ୍ଷା ସୁବିଧା ସୃଷ୍ଟି କରିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇପଡ଼ିଛି। ଅଞ୍ଚଳର ଯୁବପିଢ଼ି ଯେପରି ନିଜ ଅଞ୍ଚଳରେ ରହି ଉଚ୍ଚଶିକ୍ଷା ଓ ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ, ସେଥିପାଇଁ ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି ସାକ୍ଷାତ କରିଥିବା ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି।
