ବିବାହ ପାଇଁ ବିକି ଦେଇଥିଲେ: ରାଜସ୍ଥାନରୁ ଉଦ୍ଧାର ହେଲେ ଓଡ଼ିଶାର ୨ ନାବାଳିକା

add-all

କୁତ୍ରା: ଏକ ମୋବାଇଲ କଲ୍‌କୁ ଆଧାର କରି ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ଯୁବତୀଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରିଛି କୁତ୍ରା ପୁଲିସ। ଓଡ଼ିଶାର ୨ ଜଣ ନାବାଳିକାଙ୍କୁ ରାଜସ୍ଥାନରୁ ଉଦ୍ଧାର କରିବା ସହିତ ଏହି ମାମଲାରେ ସୁନ୍ଦରଗଡ଼ ଜିଲ୍ଲାର ୬ ଜଣ ଓ ରାଜସ୍ଥାନର ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦଲାଲଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଦିବ୍ୟାଙ୍ଗ ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲାର ସୋନୁ ଶର୍ମା, ପିଙ୍କି ଦେବୀ, ସେକ୍‌ ଅସରଫ ଅଲୀ (ଦିବ୍ୟାଙ୍ଗ), ମନୁ ଶର୍ମା, ରାଜସ୍ଥାନର ସଚିନ ରାୟ ଗୌତମ ଓ ରମେଶଚନ୍ଦ କୁଶୱାହ। ଏ ସଂପର୍କରେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜଗାଙ୍ଗପୁର ଏସ୍‌ଡିପିଓ ଅଭିଷେକ ପାଣିଗ୍ରାହୀ।
ଗତବର୍ଷ ଅକ୍ଟୋବର ମାସରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ନିଖୋଜ ହୋଇ ଯାଇଥିଲେ। ନିଖୋଜ ହେବାର ପ୍ରାୟ ୭ ମାସ ପରେ ଗତ ମେ’ ମାସରେ ନାବାଳିକାଜଣକ ଘରକୁ ଫୋନ କରି ମତେ ବଞ୍ଚାଅ ବୋଲି କହିଥିଲେ। ନାବାଳିକାଙ୍କଠାରୁ ଫୋନ୍‌ ପାଇବା ପରେ ପରିବାର ଲୋକ କୁତ୍ରା ଥାନାକୁ ଯାଇ ଏତଲା ଦେଇଥିଲେ। ରାଜଗାଙ୍ଗପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ କୁତ୍ରା ଥାନା ଅଧିକାରୀଙ୍କ ସମେତ ଏକ ୯ଜଣିଆ ଟିମ୍‌ ଘଟଣାର ତଦନ୍ତ କରିବା ସହ ମୋବାଇଲ କଲ୍‌ ଟ୍ରାକ୍‌ କରି ରାଜସ୍ଥାନର ବାରା ଜିଲ୍ଲାରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ନାବାଳିକାଜଣକ ୮ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। କୁତ୍ରା ପୁଲିସ୍ ସେହି ପାଖରୁ ରାୟଗଡ଼ା ଜିଲ୍ଲାର ଅନ୍ୟ ଜଣେ ନାବାଳିକାଙ୍କୁ ମଧ୍ୟ ଉଦ୍ଧାର କରିଛି। ଉଭୟ ନାବାଳିକାଙ୍କ ବୟସ ୧୬ ବର୍ଷ।

ad-week
Leave A Reply

Your email address will not be published.