
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଂଚାୟତ ସରପଂଚ ମନୋଜ ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ନାଏବ ସରପଂଚଙ୍କ ସମେତ ୧୬ ଜଣ ୱାର୍ଡ ସଭ୍ୟ/ସଭ୍ୟା । ଏନେଇ ଗୁରୁବାର ଅପରାହ୍ନରେ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତଙ୍କୁ ଭେଟି ସେମାନେ ଏକ ଲିଖିତ ଦରଖାସ୍ତ ପ୍ରଦାନ କରାଯାଇଛି ।
ସରପଂଚ ନିୟମିତ ବୈଠକ କରୁନାହାନ୍ତି, ପଂଚାୟତ ବାସୀଙ୍କୁ ମୌଳିକ ସୁବିଧା ମିଳିପାରୁନାହିଁ , କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ, ସରପଂଚ ତାଙ୍କ ମନ ମୁତାବକ ପଂଚାୟତରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ଫଳରେ ୱାର୍ଡ ସଭ୍ୟ/ ସଭ୍ୟା ମାନେ ଗ୍ରାମବାସୀଙ୍କ ଦ୍ୱାରା ବହୁ ଅସୁବିଧା ଓ ଅପମାନିତ ହେବାକୁ ପଡୁଛି । ଏହା ସହିତ ମନରେଗା ଯୋଜନାରେ ଆସୁଥିବା ଅର୍ଥକୁ ନିଜ ପରିବାର ଲୋକଙ୍କ ଜବ କାର୍ଡ ନଂ ୩୮୦୫ ଦ୍ୱାରା କାମ ନ କରି ଡିମାଣ୍ଡ ଦେଇ ଟଙ୍କା ଉଠାଉଛନ୍ତି ବୋଲି ୱାର୍ଡ ମେମ୍ବର ମାନେ ଅଭିଯୋଗ କରିଛନ୍ତି । ଏହା ସହ ପଂଚାୟତ ବୈଠଳରେ ୱାର୍ଡ ସଭ୍ୟ/ସଭ୍ୟା ମାନଙ୍କୁ ବିନା ନିର୍ଦ୍ଧାରଣରେ ଦସ୍ତଖତ କରିବା ପାଇଁ ବାଧ୍ୟ କରୁଛନ୍ତି । ଏଭଳି ବିଭିନ୍ନ ବେନିୟମ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ଆମ୍ଭେ ନିର୍ବାଚିତ ସଂଖ୍ୟାଧିକ ୱାର୍ଡ ସଭ୍ୟ ଓ ସଭ୍ୟା ଆପଣଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ, ସରପଂଚ ମନୋଜ ବେହେରାଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରି ତୁରନ୍ତ ସରପଂଚ ପଦବୀରୁ ବହିଷ୍କାର କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ଭାବେ ଦାବି କରିଛନ୍ତି ।
ଏଥିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଅନୂସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ କୀର୍ତ୍ତନ ଦାସ, ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଡି. କାନକେୟା ରେଡ୍ଡୀ, ସୁରେନ୍ଦ୍ର ନାଥ ସାହୁ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଶ୍ରମିକ ନେତା ତଥା ପୂର୍ବତନ ସମିତିସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀଙ୍କ ନେତୃତ୍ୱରେ ସାନ ରାମଚନ୍ଦ୍ରପୁର ପଂଚାୟତର ନାଏବ ସରପଂଚ ବିଷ୍ଣୁପ୍ରିୟା ନାହାକ, ୱାର୍ଡ ସଭ୍ୟା ଟୁନି ବେହେରା, ଜେ. ସୋନା, ଏମ୍. କୁମାରୀ ପାତ୍ର, କାହ୍ନୁ ନାହାକ, ରେଣୁ ପ୍ରଭା ନାହାକ, ଦୀପକ ନାୟକ, ଚନ୍ଦ୍ରମୋହନ ବେହେରା, ବିଶ୍ୱଜିତ ନାହାକ, ଟିକିଲି ପଲାଇ, ବିଳାଶ କୁମାର ନାହାକ, ବସନ୍ତ ଦାସ, ମନୋଜ କୁମାର ନାହାକ, ସଂଯୁକ୍ତା ନାୟକ, ରେଶମା ବେହେରା ଓ ପ୍ରଗତି ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।