ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା

add-all

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ବେଗୁନିଆ ଏବଂ ଗ୍ରାମ୍ୟ ନ୍ୟାୟାଳୟ ଟାଙ୍ଗୀ ପରିସରରେ ଏକ ରାଷ୍ଟ୍ରୀୟ ଅଦାଲତ ଜିଲା ଓ ଦୌରାଜଜ୍‌ ତଥା ଅଧ୍ୟକ୍ଷ, ଜିଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା, ଭୁବନେଶ୍ୱର ନିଶିଥ୍‌ ନିଶାଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଚଳିତ ବର୍ଷର ଏହି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ସାଲିସ୍‌ ଯୋଗ୍ୟ ଫୌଜଦାରୀ ଓ ଦେୱାନି ମାମଲା, ଗାଡ଼ି ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ଓ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍‌ ବାଉନ୍ସ, ରାଜସ୍ୱ, ଖାଉଟି ବ୍ୟାପାର, ଟେଲିଫୋନ ଅନାଦେୟ ସର୍ବମୋଟ ୧,୧୭,୩୮୫ ମାମଲାମାନ ଜିଲାର ବିଭିନ୍ନ ଅଦାଲତମାନଙ୍କରେ ଆଗତ କରାଯାଇ ସେଥି ମଧ୍ୟରୁ ୮୩,୬୭୫ ଗୋଟି ମାମଲାର ଉଭୟ ପକ୍ଷଙ୍କ ଆପୋଷ ବୁଝାମଣା ଜରିଆରେ ଫଇସଲା କରାଯାଇ ସର୍ବମୋଟ ୩୦,୩୦,୩୨,୮୧୨ ଟଙ୍କା ଜୋରିମାନା ଏବଂ ରାଜିନାମା ଓ ରାଜସ୍ୱ ଆଦାୟ କରାଯାଇଥିଲା।
ଉକ୍ତ ଲୋକ ଅଦାଲତରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀଗଣ, ଆଇନଜୀବୀ, ରାଜସ୍ୱ ଅଧିକାରୀ, ଆଞ୍ଚଳିକ ବ୍ୟାଙ୍କ ପଦାଧିକାରୀ, ବୀମା କମ୍ପାନିମାନଙ୍କର ଅଧିକାରୀବୃନ୍ଦ, ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟର ସମସ୍ତ ଆଇନଜୀବୀ, ଟେଲିକମ୍‌ ଅଧିକାରୀ, କୋର୍ଟ ମ୍ୟାନେଜର, ଅଦାଲତର ସମସ୍ତ କର୍ମଚାରୀ, ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ । ଶେଷରେ ଉକ୍ତ ଲୋକ ଅଦାଲତର ସାମୁଦାୟିକ ସଫଳତା ପାଇଁ ପ୍ରାଧିକରଣଙ୍କ ପକ୍ଷରୁ ଏହାର ସଚିବ ସୌଦାମିନୀ ସିଂ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ସହ ପରବର୍ତ୍ତୀ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୧୪/୧୧/୨୦୨୪ ପାଇଁ ଆଗୁଆ ପ୍ରସ୍ତୁତି ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ad-week
Leave A Reply

Your email address will not be published.