ଗୋଲାପ ଚନ୍ଦ୍ର ଦାସ ବରଗଡ଼ ଧନୁଯାତ୍ରାର ନୂତନ କଂସ

kalipuja

ବରଗଡ଼: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ଐତିହାସିକ ବରଗଡ଼ ଧନୁଯାତ୍ରା ପାଇଁ ନୂତନ କଂସ ଚୟନ ହୋଇଛି । ମହୋତ୍ସବର ୭୯ତମ ସଂସ୍କରଣ ପାଇଁ ନୂତନ ମହାରାଜା କଂସ ଭାବେ ଗୋଲାପ ଚନ୍ଦ୍ର ଦାସ ମନୋନୀତ ହୋଇଛନ୍ତି । ବରଗଡ଼ଠାରେ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କଂସ ଚୟନ ପ୍ରକ୍ରିୟାରେ ବିଚାରକ ମଣ୍ଡଳୀ ତାଙ୍କୁ ଏହି ଭୂମିକା ପାଇଁ ଚୂଡ଼ାନ୍ତ କରିଛନ୍ତି ।

ଚଳିତ ବର୍ଷ ୭୯ତମ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ କଳାକାରମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଗତ ନଭେମ୍ବର ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ମୋଟ ୪୪ ଜଣ କଳାକାର ଆବେଦନ କରିଥିଲେ ।

ଶୁକ୍ରବାର ଅନୁଷ୍ଠିତ ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ମୋଟ ୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀମାନଙ୍କର ଶାରୀରିକ ଗଠନ, ଉଚ୍ଚତା, ବଳିଷ୍ଠ କଣ୍ଠସ୍ୱର, ସଂଳାପ ଉଚ୍ଚାରଣ ଶୈଳୀ, ଅଭିନୟ ଦକ୍ଷତା ଏବଂ ପୌରାଣିକ ଜ୍ଞାନକୁ ଆଧାର କରି ବିଚାରକ ମଣ୍ଡଳୀ ମୂଲ୍ୟାଙ୍କନ କରିଥିଲେ । ସମସ୍ତ ମାପଦଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୋଲାପ ଚନ୍ଦ୍ର ଦାସ ନୂତନ ମହାରାଜା କଂସ ଭାବେ ନିର୍ବାଚିତ ହୋଇଛନ୍ତି ।

ଗୋଲାପ ଚନ୍ଦ୍ର ଦାସ ବରଗଡ଼ ଧନୁଯାତ୍ରା ମଞ୍ଚ ପାଇଁ କୌଣସି ନୂଆ ମୁହଁ ନୁହନ୍ତି । ପୂର୍ବରୁ ସେ ଧନୁଯାତ୍ରାର ରାଜଦରବାରରେ ‘ମହାମନ୍ତ୍ରୀ’ ଭୂମିକାରେ ଅତ୍ୟନ୍ତ ନିଖୁଣ ଓ ପ୍ରଭାବଶାଳୀ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ମହାମନ୍ତ୍ରୀ ଭାବେ ତାଙ୍କର ଦୀର୍ଘ ଅଭିଜ୍ଞତା, ମଞ୍ଚ ପରିଚାଳନା ଜ୍ଞାନ ଏବଂ ଦମ୍ଦାର ସଂଳାପ ପ୍ରକ୍ଷେପଣ ଶୈଳୀ ଏଥର ମହାରାଜା କଂସ ଚରିତ୍ରକୁ ଏକ ନୂତନ ଶିଖରକୁ ନେବ ବୋଲି ଆଶା କରାଯାଉଛି ।

ad-week
Leave A Reply

Your email address will not be published.