
ମାଲକାନଗିରି,୨୮।୯: ମାଲକାନଗିରି ଜିଲ୍ଲାରେ ଡିପଥେରିଆ ରୋଗୀ ଚିହ୍ନଟ, ପ୍ରଥମ ଡିପଥେରିଆ ରୋଗୀ ଜଣକ କାଲିମେଳା ବ୍ଲକର ଚିତ୍ରାଙ୍ଗପାଲୀ ଆବାସିକ ବିଦ୍ୟାଳୟରରେ ପଢୁଥିବା ଚତୁର୍ଥ ଶ୍ରେଣୀ ଛାତ୍ର ଶିବୁ ମାଡକାମୀ ବୋଲି ଜଣା ପଡିଥିବା ବେଳେ ସେ କୋରାପୁଟ ସହିଦ ଲକ୍ଷଣ ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଜିଲାଳର କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲି ଆବାସିକ ବିଦ୍ୟାଳୟରେ ଏହି ରୋଗୀ ପ୍ରଥମେ ଚିହ୍ନଟ ହୋଇଥିଲା। ଏହାପରେ ଚଳିତ ମାସ ୨୦ ତାରିଖରେ ସେହି ବିଦ୍ୟାଳୟର ପୁଣି ୩ ଜଣଙ୍କୁ ଜର ହେବାରୁ ସେମାନଙ୍କୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ନମୁନା ସଂଗ୍ରହ କରି ଡିପଥେରିଆ ପରୀକ୍ଷା ପାଇଁ ପଠା ଯାଇଥିଲା। ତେବେ ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ପିଙ୍କୁ ମାଢି ନାମକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା। ଯାହାପରେ ପିଙ୍କୁଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ଚିକିତ୍ସା ଜାରି ରହିଛି। ଏହାପରେ ସେହି ବିଦ୍ୟାଳୟର ୮ ଜଣଙ୍କ ନମୁନା ସଂଗ୍ରହ କରି କୋରାପୁଟ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ସେମାନେ ବର୍ତ୍ତମାନ କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ଓ ପରୀକ୍ଷା ରିପୋର୍ଟ ଆସି ନାହି। ସେହିପରି ଆସନ୍ତା କାଲି ପୁଣି ମୋଟ ୮ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଜିବ ବୋଲି ଜଣା ପଡିଛି। ତେବେ ଏହି ଘଟଣା ପରେ ଏକ ମେଡିକାଲ ଟିମ୍ ଚିତ୍ରାଙ୍ଗପାଲୀ ଆବାସିକ ବିଦ୍ୟାଳୟରେ ପହଞ୍ଚିଥିଲା। ଟିମ୍ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଭେକସିନ ଦେବା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିବା ଜଣା ପଡିଛି। ତେବେ ସେହି ବିଦ୍ୟାଳୟର ସମସ୍ତଙ୍କୁ ଭେକସିନ ଦିଆଯିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପରିବାର କଲ୍ୟାଣ ନିର୍ଦେଶାଳୟ ଏକ ଇମ୍ୟୁନାଇଜେସନ ବିଶେଷଜ୍ଞ ଟିମ୍ ଆସନ୍ତା କାଲି ମାଲକାନଗିରି ପହଞ୍ଚି ସ୍ଥିତି ପରିଖିବ ବୋଲି ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଏନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ଓ ସ୍ଥିତି ଆୟତରେ ଥିବା କୁହାଯାଇଛି। ରୋଗୀ ଚିହ୍ନଟ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ କରୁଥିବା ବେଳେ ବର୍ତ୍ତମାନ ସ୍ଥିତି ଆୟତରେ ଥିବା ପ୍ରକାଶ କରିଛନ୍ତି କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାଃ. ଦିନବନ୍ଧୁ ମହାନନ୍ଦ।