‘ବିନା ପ୍ରମାଣରେ କହିଥିଲି…’ ନିଜ୍ଜାର ହତ୍ୟା ମାମଲାରେ ବଦଳିଲା ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ

add-all

ନୂଆଦିଲ୍ଲୀ : ଭାରତ ସରକାର କାନାଡାର 6 ଜଣ ହାଇକମିଶନରଙ୍କୁ ବହିଷ୍କାର କରିବା ପରେ ବଦଳିଛି ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ। ବାରମ୍ବାର ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଦାବି କରି ଆସୁଥିବା ଟ୍ରୁଡୋଙ୍କ ସ୍ୱର ଶିଥୀଳ ହୋଇଯାଇଛି।
ନିଜ୍ଜାର ହତ୍ୟାରେ ଭାରତର ସମ୍ପୃକ୍ତି ବାବଦରେ ତାଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ, ସେ କେବଳ ଗୁପ୍ତଚର ସୂଚନାକୁ ଆଧାର କରି ଅଭିଯୋଗ କରିଥିବା କହିଛନ୍ତି। ଟ୍ରୁଡୋଙ୍କ ଏପରି ବିବୃତ୍ତି ପରେ କଡ଼ା ଜବାବ ଦେଇଛି ଭାରତ। ଭାରତ ପୂର୍ବରୁ ଯାହା କହି ଆସୁଥିଲା ତାହା ପ୍ରମାଣିତ ହୋଇଛି ବୋଲି ଭାରତ ସରକାର କହିଛନ୍ତି।
ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହୁଯାଇଛି ଯେ, ଆମେ ଆଜି ଯାହା ଶୁଣୁଛୁ ତାହା ଆମେ କହିଆସୁଥିବା ଦାବିକୁ ପ୍ରମାଣ କରୁଛି। କାନାଡା ସରକାର ବିନା କୌଣସି ଠୋସ୍ ପ୍ରମାଣରେ ନିଜ୍ଜାର ହତ୍ୟାକୁ ନେଇ ଭାରତ ଉପରେ ଅଭିଯୋଗ କରିଆସୁଥିବା ନିଜେ ସ୍ୱୀକାର କରିଛନ୍ତି। ଆମେ ଏହି ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସିଛୁ, ଶେଷରେ କାନାଡା ପ୍ରଧାନମନ୍ତ୍ରୀ ଲଗାଇଥିବା ଅଭିଯୋଗ ପ୍ରମାଣ ବିହୀନ ବୋଲି ନିଜେ ମାନିଛନ୍ତି।
ପ୍ରକାଶ ଥାଉକି, ଗତ ବର୍ଷ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟା ହୋଇଥିଲା। କିଛି ଦିନର ବିରତି ପରେ ହଠାତ୍ କାନାଡା ଏହି ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଥିଲା। କାରଣ ଭାରତ ସରକାର ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ।
ନିକଟରେ ମଧ୍ୟ ଲାଓସରେ ଅନୁଷ୍ଠିତ ଆସିଆନ ଶିଖର ସମ୍ମିଳନୀରେ ଦୁଇ ରାଷ୍ଟ୍ରନେତା ବନ୍ଧୁତପୂର୍ଣ୍ଣ ବ୍ୟବହାର କରିନଥିଲେ। ପ୍ରଧାନମନ୍ତ୍ରୀ ଲାଓସରୁ ଫେରିବା ପରେ ପରେ ଭାରତ ସରକାର କାନାଡାରେ ଥିବା ଭାରତର ହାଇକମିଶନରଙ୍କୁ ଫେରାଇ ଆଣିବା ସହ 6 ଜଣ କାନାଡା ହାଇକମିଶନରଙ୍କୁ ବହିଷ୍କାର କରିଥିଲେ।
ଏହାର କିଛି ଘଣ୍ଟା ପରେ ପୁଣି ନିଜ୍ଜାର ହତ୍ୟାକୁ ନେଇ ଭାରତ ଉପରେ ଦୋଷ ଲଦିଥିଲେ ଜଷ୍ଟିନ ଟ୍ରୁଡୋ। ଏପରି ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ ସହ ମିଶି ଭାରତୀୟ ଏଜେଣ୍ଟ କାମ କରୁଥିବା ସେ ଅଭିଯୋଗ କରିଥିଲେ। ମାତ୍ର ଏସବୁ ଅଭିଯୋଗ ମଧ୍ୟରେ ନିଜ ସ୍ୱର ବଦଳାଇଛନ୍ତି ଜଷ୍ଟିନ ଟ୍ରୁଡୋ। ସେ କୌଣସି ଠୋସ୍ ପ୍ରମାଣ ବିନା ନିଜ୍ଜାର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିବା ସ୍ୱୀକାର କରିଛନ୍ତି।

ad-week
Leave A Reply

Your email address will not be published.