କେନ୍ଦୁଝର ଜିଲ୍ଲାର ୪ଟି ସ୍ଥାନରେ ବହୁମୁଖୀ ଷ୍ଟାଡିୟମ

add-all

କେନ୍ଦୁଝର : ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ କେନ୍ଦୁଝର ଜିଲାର ବିଭିନ୍ନ ଗାଁ ଓ ସହରରେ ଯୁବପିଢ଼ିଙ୍କ ପ୍ରତିଭାକୁ ବିକଶିତ କରିବା ସହିତ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରିବା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କେନ୍ଦୁଝର ଜିଲାର ବଡ଼ବିଲ, ଯୋଡା, ଆନନ୍ଦପୁର ଓ ଚମ୍ପୁଆ ଆଦିି ୪ଟି ସହରରେ ବହୁମୁଖୀ ଇନଡୋର ଷ୍ଟାଡିୟମ କରାଯାଇଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଆର୍ଥିକ ସହାୟତା ଯୋଗାଇ ଦେଇଛି। ଶାରୀରିକ ଫିଟନେସ୍‌‌ ସହିତ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଏକ ମାଧ୍ୟମ ହେଉଛି କ୍ରୀଡ଼ା। ବିଶେଷକରି ଇନଡୋର ଗେମ୍‌‌ ଜରିଆରେ ନିଜର କ୍ରୀଡ଼ା ଭବିଷ୍ୟତ ଗଢ଼ିବା ଲାଗି ଯୁବପିଢ଼ିଙ୍କ ପାଇଁ ରହିଛି ଅନେକ ସୁଯୋଗ। ଏଥିପାଇଁ ବହୁମୁଖୀ ଇନଡୋର ଷ୍ଟାଡିୟମ ପରିସରରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍‌‌ ଓ ଭାରୋତ୍ତଳନ କୋର୍ଟ ସ୍ଥାପନ କରାଯାଇଛି। ଷ୍ଟାଡିୟମ ଭିତରେ ଥିବା ବ୍ୟାଡମିଣ୍ଟନ କୋର୍ଟରେ ବିଛାଯାଇଛି ଅତ୍ୟାଧୁନିକ ଟର୍ଫ। ଏଥିସହ ଏଠାରେ ଆଧୁନିକ କ୍ରୀଡ଼ା ଉପକରଣ ମଧ୍ୟ ରହିଛି। ଫଳରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତା ଲାଗି ଅଭ୍ୟାସ କରିପାରୁଛନ୍ତି ଯୁବପିଢ଼ି।
ଇନଡୋର ଷ୍ଟାଡିୟମ ସପ୍ତାହରେ ୬ ଦିନ ସକାଳ ଓ ସନ୍ଧ୍ୟାରେ ଖୋଲା ରହୁଛି। ଫଳରେ ସ୍ଥାନୀୟ ଯୁବପିଢ଼ି ଓ ଖେଳାଳିମାନେ ଏଠାକୁ ନିୟମିତ ଆସି ବିଭିନ୍ନ କ୍ରୀଡ଼ାଭ୍ୟାସ କରିପାରୁଛନ୍ତି। ସେମାନଙ୍କ ସୁବିଧା ପାଇଁ ଏଠାରେ ଚେଞ୍ଜିଂ ରୁମ୍‌‌ ସହିତ ପାନୀୟ ଜଳ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ‘କ୍ରୀଡ଼ା କ୍ଷେତ୍ରରେ ଆଗକୁ ଯିବା ଲାଗି ସ୍ୱପ୍ନ ଦେଖୁଥିବା ଯୁବପିଢ଼ି ଓ ଖେଳାଳିଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିଛି ଏହି ବହୁମୁଖୀ ଇନଡୋର ଷ୍ଟାଡିୟମ। ଏଠାରେ ବିଭିନ୍ନ ପ୍ରକାର କ୍ରୀଡ଼ା ଲାଗି ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି। ଫଳରେ କେନ୍ଦୁଝର ଜିଲାର ଯୁବପୀଢ଼ି ବିଭିନ୍ନ କ୍ରୀଡ଼ାଭ୍ୟାସ କରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି’ ବୋଲି ଜିଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର ମହାକୁଡ ଏହା କହିଛନ୍ତି। କେବଳ କ୍ରୀଡ଼ା ନୁହେଁ, ଏହି ବହୁମୁଖୀ ଇନଡୋର ଷ୍ଟାଡ଼ିୟମକୁ ଆବଶ୍ୟକ ସ୍ଥଳେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଆଶ୍ରୟସ୍ଥଳୀ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ।

ad-week
Leave A Reply

Your email address will not be published.