ହିଞ୍ଜିଳିକାଟୁ ,୧୮।୧୦: ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ରାଜନୈତିକ ହିଂସା ଦେଖା ଦେଇଛି। ସମିତି ସଭ୍ୟ ଇପିଲି ରାଜାରାଓଙ୍କୁ ତାଙ୍କର ବିପକ୍ଷ ଗୋଷ୍ଠୀର ଜଣେ ବ୍ୟକ୍ତି ଶୁକ୍ରବାର ଆକ୍ରମଣ କରିଛନ୍ତି। ଆକ୍ରମଣରେ ଗୁରୁତର ଆହତ ସମିତି ସଭ୍ୟ ଇପିଲି ରାଜାରାଓଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଘଟଣା ପରେ ଦୟାପଲ୍ଲୀ ଗାଁରେ ଉତେଜନା ପ୍ରକାଶ ପାଇଛି। ପ୍ରକାଶ ଯେ, ସମିତି ସଭ୍ୟ ଇପିଲି ରାଜାରାଓ ଶୁକ୍ରବାର ମଧ୍ୟାହ୍ନରେ ବାଇକରେ ପଳାସି ଗାଁରୁ ଦୟାପଲ୍ଲୀ ନିଜ ଘରକୁ ଫେରୁଥିଲେ। ଦୟାପଲ୍ଲୀ ଗାଁ ନିକଟରେ ବିପକ୍ଷ ଗୋଷ୍ଠୀର ଜଣେ ଯୁବକ ମାରଣାସ୍ତ୍ରରେ ସମିତିସଭ୍ୟ ଇପିଲି ରାଜା ରାଓଙ୍କୁ ଆକ୍ରମଣ କରିଥିଲେ। ଅନ୍ୟ ପକ୍ଷରେ ଗୁରୁତର ଅବସ୍ଥାରେ ସମିତି ସଭ୍ୟ ଇପିଲି ରାଜାରାଓଙ୍କୁ ପରିବାର ଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁଁ ଭର୍ତ୍ତି କରିଛନ୍ତି।ଅଭିଯୋଗ କ୍ରମେ ବେଲଗାଁ ଥାନା ପୋଲିସ ଦୟାପଲ୍ଲୀ ଗାଁ ର ଗୋପାଳ ଦାସଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଥାନାରେ ନଂ ୧୩୨/୨୪ରେ ମାମଲା ରୁଜୁ ହୋଇଛି। ପୋଲିସ ମାମଲାର ଅଧିକ ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ ଗତ ୨୦୧୨ ପଞ୍ଚାୟତ ନିର୍ବାଚନ ପରଠାରୁ ଦୟାପଲ୍ଲୀ ଗାଁ ରେ ରାଜନୈତିକ ବିବାଦ ଓ ହିଂସାକାଣ୍ଡ ବୃଦ୍ଧି ପାଇଛି। ୨୦୧୨ ରେ ରାଜନୈତିକ ବିବାଦ କାରଣରୁ ଗାଁ ରେ ଏସ୍ ପୀତାମ୍ବର ନାମକ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣରେ ହତ୍ୟା କରାଯାଇଥିଲା। ପରେ ବିଭିନ୍ନ ସମୟରେ ଗାଁ ରେ ୨ ଗୋଷ୍ଠୀ ମଧ୍ୟରେ ବାରମ୍ବାର ରାଜନୈତିକ ହିଂସାକାଣ୍ଡ ସୃଷ୍ଟି ହେଉଛି। ଫଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଉଛି। ଗାଁ ରେ ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ରାଜନୈତିକ ହିଂସା ଥମୁନି। ଏହାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚ କତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।।
