
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକରେ ଥିବା ବସ୍ତି ତଥା ସାହି ଅଞ୍ଚଳରେ ବର୍ଷ ବର୍ଷ ଧରି ରାସ୍ତା ଟିଏ ହୋଇ ପାରୁନଥିବାରୁ ନିଜେ ଅଞ୍ଚଳବାସୀ ନିଜ ସାହି ପାଇଁ ତିଆରି କଲେ ରାସ୍ତା। ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକର ବାତରୀଅଟାଳ ଗ୍ରାମ ଠାରୁ ଜଗା ସାହିକୁ ପ୍ରାୟ ୮୦୦ ମିଟର ରାସ୍ତା ନଥିବାରୁ ଲୋକେ ବର୍ଷ ବର୍ଷ ଧରି ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସାହିରେ ପ୍ରାୟ ୬୦ଜଣ ଲୋକେ ବସବାସ କରୁଥିବା ବେଳେ ରାସ୍ତା ପାଇଁ ପୂର୍ବରୁ ଅନେକଥର ଜିଲ୍ଲା ପ୍ରଶାସନକୁ ରାସ୍ତା ଟିଏ ପାଇଁ ଲିଖିତ ଦାବିପତ୍ର ଦେବା ସହ ଗ୍ରାମସଭାରେ ମଧ୍ୟ ଏହାକୁ ନେଇ ପ୍ରତି ଥର ସ୍ଵର ଉତ୍ତୋଳନ କରିଥିଲେ। ହେଲେ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ହୋଇ ପାରିନଥିଲା। ତେବେ ଏହାରି ମଧ୍ୟରେ ଜଗା ସାହିରେ ଜଳ ସଙ୍କଟ ମଧ୍ୟ ଦେଖା ଦେଇଥିଲା। ହେଲେ ରାସ୍ତା ନଥିବାରୁ ନଳକୂପ ଖନନ ପାଇଁ ଗ୍ରାମକୁ ଗାଡି ଆସି ପାରୁନଥିବାରୁ ଲୋକେ ବହୁ ସମସ୍ୟା ଭୋଗୁଥିଲେ। ପୂର୍ବରୁ ଗ୍ରାମରେ ପ୍ରଶାସନ ପକ୍ଷରୁ ଗୋଟିଏ ନଳକୂପ ଖନନ କରାଯାଇଥିଲେ ମଧ୍ୟ ସେଥିରୁ ଦୂଷିତ ଓ ଆଇରନ ଯୁକ୍ତ ଜଳ ବାହାରୁଥିବାରୁ ତାହା ବ୍ୟବହାର ଯୋଗ୍ୟ ହେଉନଥିବା ବେଳେ ବାଧ୍ୟ ହୋଇ ସାହି ବାସୀ ନିଜ ଅର୍ଥରେ ନଳକୂପ ଖନନ ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ନଳକୂପ ଖନନ ଗାଡି ଆସିବା ପାଇଁ ରାସ୍ତାର ଆବଶ୍ୟକତା ଥିବା ବେଳେ ସାହି ବାସିନ୍ଧା ପ୍ରଥମେ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଥିଲେ। ନିଜସ୍ଵ ଉଦ୍ୟମ ଓ ସାହି ଲୋକଙ୍କ ଶ୍ରମ ଏବଂ ଅର୍ଥରେ ତିଆରି ହୋଇଥିଲା ଏକ କଚ୍ଚା ସଡକ। ଏହାପରେ ଅଞ୍ଚଳରେ ଲୋକଙ୍କ ଅର୍ଥରେ ଏକ ନଳକୂପ ମଧ୍ୟ ଖନନ କରଯାଇଥିଲା। ଏନେଇ ଆମେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। ହେଲେ ସେ ଏକ ବୈଠକରେ ବ୍ୟସ୍ତ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନଥିଲା।