ବୁଲଡୋଜର୍‌ ଆକ୍ସନ ଉପରେ ବ୍ରେକ୍‌

add-all

‘ବୁଲଡୋଜର ନ୍ୟାୟ ସ୍ୱୀକାରଯୋଗ୍ୟ ନୁହେଁ। କେବଳ ଅଭିଯୋଗ ଆଧାରରେ ଭଙ୍ଗା ଯାଇପାରିବନି ଘର। ଘର ଭାଙ୍ଗିବା ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ସରକାରୀ କ୍ଷମତାର ମନମାନି ଚଳିବ ନାହିଁ।’ ବୁଲଡୋଜର ଆକ୍ସନକୁ ନେଇ ଏକ ମାମଲାର ଶୁଣାଣି କରି ଏଭଳି କିଛି ରାୟ ଶୁଣାଇ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏକ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରିଛନ୍ତି। 

ସୁପ୍ରିମକୋର୍ଟ ଦୁଇ ଜଣ ବିଚାରପତିଙ୍କ ବେଞ୍ଚ ସରକାରଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। ଘରଗୁଡ଼ିକୁ ମନଇଚ୍ଛା ଭାଙ୍ଗିବା ଆଇନର ଉଲ୍ଲଂଘନ ବୋଲି କହିଛନ୍ତି। ଏ ମାମଲାରେ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ। ମାମଲାରେ ଗାଇଡଲାଇନ୍ ଜାରି କରି ସୁପ୍ରିମକୋର୍ଟ କହିଛନ୍ତି କାର୍ଯ୍ୟପାଳିକା, ନ୍ୟାୟପାଳିକାର ଭୂମିକା ନେଇପାରିବନି।

କୋର୍ଟ କହିଛନ୍ତି, ଜଣେ ଅଭିଯୁକ୍ତଙ୍କ ବିରୋଧରେ କେବଳ ଏତଲା ଆଧାରରେ ତାଙ୍କ ଘର ଭଙ୍ଗା ଯାଇ ପାରିବନି। ଅଭିଯୁକ୍ତ କିମ୍ବା ଦୋଷୀଙ୍କ ଘର ଭାଙ୍ଗିବା ବେଆଇନ୍। ଜଣଙ୍କ ପାଇଁ ପୂରା ପରିବାର କାହିଁକି ଦଣ୍ଡ ପାଇବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ସରକାରୀ ଅଧିକାରୀଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି। ଯଦି ପ୍ରଶାସନ ମନଇଚ୍ଛା ଘର ଭାଙ୍ଗେ, ତା’ହେଲେ ଅଧିକାରୀମାନଙ୍କୁ ଏଥିପାଇଁ ଜବାବ ଦେବାକୁ ପଡ଼ିବ। ଅପରାଧ ପାଇଁ ଦଣ୍ଡ ଦେବା କୋର୍ଟର କାମ ପ୍ରଶାସନର ନୁହେଁ। ଅଧିକାରୀମାନେ ଅଦାଲତ ଭଳି କାମ କରିପାରିବେ ନାହିଁ। କାହାର ବି ମୁଣ୍ଡ ଉପରୁ ଛାତ ଛଡ଼ାଇ ନେବା ଠିକ୍ ନୁହେଁ। ଅଭିଯୁକ୍ତ ଏବଂ ଦୋଷୀଙ୍କର ମଧ୍ୟ କିଛି ଅଧିକାର ରହିଛି। କେବଳ ଅଭିଯୁକ୍ତ ଦର୍ଶାଇ ତାଙ୍କ ଘର ଭାଙ୍ଗିବା ଆଇନର ଉଲ୍ଲଂଘନ ଅଟେ ଅଦାଲତ କହିଛନ୍ତି।

ବୁଲଡୋଜର ଆକ୍ସନ ପୂର୍ବରୁ ଅଭିଯୁକ୍ତଙ୍କ ପକ୍ଷ ଶୁଣିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି। ନିୟମ ଅନୁଯାୟୀ ନୋଟିସ୍ ଜାରି କରାଯିବା ଜରୁରୀ। ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ନୋଟିସ୍ ପଠାଯାଇ ଘରେ ପୋଷ୍ଟର ମାରାଯିବା ଉଚିତ୍। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ୧୫ ଦିନ ସମୟ ଦିଆଯିବା ଉଚିତ। ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ନୋଟିସ ସମ୍ପର୍କରେ ସୂଚନା ଦିଆଯିବା। ଭାଙ୍ଗିବା ବେଳେ ଭିଡିଓଗ୍ରାଫି ହେବ। ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ। ବେଆଇନ ନିର୍ମାଣକୁ ହଟାଇବା ପାଇଁ ଅଭିଯୁକ୍ତଙ୍କୁ ସୁଯୋଗ ମିଳିବା ଉଚିତ୍ ବୋଲି କୋର୍ଟ କହିଛନ୍ତି।

ad-week
Leave A Reply

Your email address will not be published.