ଶରଦ ପାୱାରଙ୍କ ଫଟୋ ବ୍ୟବହାର କରିପାରିବେନି ଅଜିତ ପାୱାର ଗୋଷ୍ଠୀ

add-all

ମହାରାଷ୍ଟ୍ରରେ ଆସନ୍ତା ସପ୍ତାହରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଚାର ସମୟରେ ପାର୍ଟି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଫଟୋ କିମ୍ବା ଭିଡିଓ ବ୍ୟବହାର ନକରିବାକୁ ଅଜିତ ପାୱାରଙ୍କ ଗୋଷ୍ଠୀକୁ ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅବିଭାଜିତ ଏନସିପିର ‘ଘଡ଼ି’ ଚିହ୍ନ ଉପରେ ଶୁଣାଣି ସମୟରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

‘ନିଜ ପାଦରେ ଛିଡ଼ା ହେବା ଶିଖ’
ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟକୁ ଭୁଲିଯାଅ, ନିର୍ବାଚନରେ ଧ୍ୟାନ ଦିଅ। ଅଦାଲତକୁ ତୁଚ୍ଛ ପ୍ରସଙ୍ଗ ଆଣ ନାହିଁ। ଏବେ ନିର୍ବାଚନରେ ଲୋକଙ୍କୁ ସେମାନଙ୍କ ନିଷ୍ପତ୍ତି ନେବାକୁ ଦିଅ। ‘ଘଡ଼ି’ ଚିହ୍ନ ବ୍ୟବହାରକୁ ନେଇ ଅଜିତ ପାୱାର ଶିବିରରୁ ଦିଆଯାଇଥିବା ସତ୍ୟପାଠକୁ ମଧ୍ୟ ସୁପ୍ରିମକୋର୍ଟ ରେକର୍ଡକୁ ନେଇଛନ୍ତି। ସୁପ୍ରିମକୋର୍ଟ ଅଜିତ ପାୱାରଙ୍କୁ କହିଛନ୍ତି ଯେ, ଥରେ ଆପଣ ଶରଦ ପାୱାରଙ୍କଠାରୁ ଅଲଗା ହୋଇଗଲେ, ଏବେ ତାଙ୍କ ନାମ, ଫଟୋ କିମ୍ବା ଭିଡିଓ ବ୍ୟବହାର କରିବା ବନ୍ଦ କରନ୍ତୁ। ବର୍ତ୍ତମାନ ନିଜ ଗୋଡ଼ରେ ଛିଡ଼ା ହେବା ଶିଖନ୍ତୁ।

ଆଜିର ଶୁଣାଣି ପୂର୍ବରୁ ଅଜିତ ପାୱାର ସୁପ୍ରିମକୋର୍ଟରେ ଏକ ଅନୁପାଳନ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶାନୁସାରେ ‘ଘଡ଼ି’ ଚିହ୍ନ ବ୍ୟବହାରକୁ ନେଇ ସେ ଖବରକାଗଜରେ ସ୍ପଷ୍ଟୀକରଣ ପ୍ରକାଶ କରିଥିବା ଦର୍ଶାଇଛନ୍ତି। ଯାହା ୭ ମରାଠୀ, ୨ ହିନ୍ଦୀ ଏବଂ ୨ ଇଂରାଜୀ ଖବରକାଗଜରେ ପ୍ରକାଶିତ ହୋଇଛି। ଗତ ଶୁଣାଣିରେ ସୁପ୍ରିମକୋର୍ଟ ଅଜିତ ପାୱାରଙ୍କୁ କହିଥିଲେ ଯେ ଉଲ୍ଲଂଘନ କୋର୍ଟର ଅବମାନନା ହେବ। ଯେଉଁଥିପାଇଁ ୩୬ ଘଣ୍ଟାର ଅଲ୍ଟିମେଟମ୍ ଜାରି କରାଯାଇଥିଲା।

ପ୍ରକାଶ ଯୋଗ୍ୟ, ପ୍ରଚାର ଅଭିଯାନ ସହିତ ଜଡିତ ପ୍ରତ୍ୟେକ ପାମ୍ପଲେଟ୍, ବିଜ୍ଞାପନ, ଅଡିଓ କିମ୍ବା ଭିଡିଓ କ୍ଲିପରେ ଏକ ସ୍ପଷ୍ଟୀକରଣ ଅନ୍ତର୍ଭୂକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଅଜିତ ପାୱାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ‘ଘଡ଼ି’ ନିର୍ବାଚନୀ ଚିହ୍ନ ମାମଲା କୋର୍ଟରେ ବିଚାରାଧୀନ ଅଛି, ସେ ଏହାକୁ ଅଧିକ ବ୍ୟବହାର କରିବାକୁ ସକ୍ଷମ ହେବେ କି ନାହିଁ ତାହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ସ୍ଥିର ହେବ ବୋଲି ଏକ ଘୋଷଣା ସମସ୍ତ ପ୍ରକାର ନିର୍ବାଚନୀ ପ୍ରଚାରରେ ଅନ୍ତର୍ଭୁକ୍ତ କରିବାକୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଜିତ ପାୱାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରୁନାହାଁନ୍ତି ବୋଲି ଶରଦ ପାୱାର ଗୋଷ୍ଠୀ ଅଭିଯୋଗ କରିବା ପରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି ଅଜିତ ଗୋଷ୍ଠୀ।

ad-week
Leave A Reply

Your email address will not be published.